ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା:ଜାଲ କାଗଜ ପତ୍ରରେ ଟଙ୍କା ଉଠାଣ ଅଭିଯୋଗ

ବୋଡ଼େନ: ବୋଡ଼େନ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କେରାପଦର ଗ୍ରାମର ଜଣେ ଅବସର ପ୍ରାପ୍ତ ଶିକ୍ଷକ ଶଙ୍କର୍ଷଣ ପାଣିଗ୍ରାହୀଙ୍କୁ ଆବାସ ଯୋଜନାର ହିତାଧିକାରୀ ଚୟନ କରାଗଲା। ତାଙ୍କ ଅଜାଣତରେ ସେହି ଗ୍ରାମର ଅନ୍ୟ ଜଣେ ଲୋକ ଜାଲ କାଗଜ ପତ୍ର କରି ଘର ହାତେଇ ନେବାରେ ସଫଳ ହୋଇଥିଲେ। ପୁଣି ଆବାସ ଯୋଜନାର ତିନି କିସ୍ତି (ଏକ ଲକ୍ଷ ଟଙ୍କା) ଉଠାଣ ମଧ୍ୟ ହୋଇ ସାରିଛି। ପଞ୍ଚାୟତ ପକ୍ଷରୁ ଜିଓ ଟେଗିଙ୍ଗ ଫଟୋ ଉଠାଇବାକୁ ଆସିବା ପରେ ସବୁ ଘଟଣା ସାମନାକୁ ଆସିଥିଲା। ଏନେଇ ବିଡିଓ ଭାଗୀରଥି ମଲ୍ଲିକଙ୍କୁ ପଚାରିବାରୁ ସଂପୃକ୍ତ ବ୍ୟକ୍ତି ଜାଲ କାଗଜ ପତ୍ର ଦେଖାଇ ଯୋଜନାର ଘର ହାତେଇ ନେଇଛନ୍ତି; ତାଙ୍କ ନଜରକୁ ଅସିବା ପରେ ନୋଟିସ୍‌ କରିଥିଲେ; ସେ ୨୦ ହାଜାର ଟଙ୍କା ମଧ୍ୟ ଫେରସ୍ତ କରିଛନ୍ତି; ବାକି ୮୦ ହଜାର ଟଙ୍କା ୧୫ ଦିନ ଭିତରେ ଫେରସ୍ତ କରିବାକୁ ଲିଖିତ ଭାବରେ ଦେଇଛନ୍ତି ବୋଲି କହିଛନ୍ତି।

ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ କିପରି ହିତାଧିକାରୀ ଚୟନ କରାଗଲା ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମଲ୍ଲିକ ନୋଡାଲ ଅଫିସରଙ୍କ ଭୁଲ ତଥ୍ୟ ପ୍ରଦାନକୁ ଦାୟୀ କରିଥିଲେ। ଶଙ୍କର୍ଷଣ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ତାଙ୍କ ଅଜାଣତରେ ଘର ତିଆରି ଚାଲିଥିଲା; ସେ କେବେ ସରକାରୀ ଯୋଜନାର ଘର ପାଇଁ ଆବେଦନ ବି କରି ନାହାନ୍ତି; ଜିଓ ଟେଗିଙ୍ଗ ଫଟୋ ଉଠାଇବାକୁ ଆସିବା ବେଳେ ସେ ଜାଣି ପାରିଥିଲେ ବୋଲି କହିଛନ୍ତି। ଏ ବାବଦରେ ସୂଚନା ଅଧିକାର ଆଇନରେ ମଗା ଯାଇଥିବା ତଥ୍ୟରୁ ଆହୁରି ଆଶ୍ଚର୍ଯ୍ୟ ହେଲା ଭଳି ତଥ୍ୟ ସାମନାକୁ ଆସିଛି। ଏଫିଡେଫିଟ୍‌ ପାଇଁ ଉଦ୍ଦିଷ୍ଟ ଷ୍ଟାମ୍ପ ପେପର ଶଙ୍କର୍ଷଣ ପାଣିଗ୍ରାହୀଙ୍କ ନାମରେ ଇସୁ ହୋଇ ନାହିଁ। ବିପିଏଲ୍‌ କାର୍ଡରେ ଜାଲିଆତି ହୋଇଥିବା ଜଳଜଳ ଦେଖା ଯାଉଛି। ପୁଣି ଆବାସ ଯୋଜନା କାର୍ଯ୍ୟାଦେଶ ପତ୍ରରେ କାର୍ଯ୍ୟାଦେଶ ସଂଖ୍ୟା ଓ ତାରିଖ ଘର ପୂରା ଖାଲି। ଅଡର ସିଟରେ କେବଳ ୨୦ ହଜାର ଟଙ୍କା ଉଠାଣ ପାଇଁ ବିଡିଓ ଦସ୍ତଖତ କରିଥିବା ବେଳେ ବାକି ଘର ଖାଲି। ଜିଲ୍ଲା ପ୍ରଶାସନ ଏ ସବୁର ତଦନ୍ତ କରି ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର