୨ ଅଭିଯୁକ୍ତ ଗିରଫ, ୭ ନାବାଳକ ଜୁଭେନାଇଲ ହୋମ୍‌କୁ ଗଲେ

ଭବାନୀପାଟଣା ଟାଉନ ପୁଲିସ ଦ୍ୱାରା ଚୋରି ର‍୍ୟାକେଟ ଠାବ

୨୩ଟି ଚୋରି ମୋବାଇଲ ସମେତ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଜବତ

ଭବାନୀପାଟଣା: ଭବାନୀପାଟଣା ଟାଉନଥାନା ଥାନା ପୁଲିସ ଦ୍ୱାରା ଏକ ବଡ଼ଧରଣର ଚୋରି ର‍୍ୟାକେଟ ଠାବ ହେବା ସହ ୨୩ଟି ଚୋରି ମୋବାଇଲ ସମେତ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଜବତ ହୋଇଛି। ଏହି ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୭ ନାବାଳକ ଜୁଭେନାଇଲ ଜଷ୍ଟିସ ବୋର୍ଡ ଆଗରେ ହାଜର କରାଯାଇଛି। ଏନେଇ ସଦର ଏସଡିପିଓ ଓ ଟାଉନଥାନା ଆଇଆଇସି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନନ୍ତି ଯେ ଭବାନୀପାଟଣା ସହର ଷ୍ଟେଚୁ ଛକ ନିିକଟ ବାହାଦୁର ବଗିଚାପଡ଼ାର ରତିକାନ୍ତ ମହାନ୍ତିଙ୍କ ସତ୍ୟସାଇ ମୋବାଇଲ ଦୋକାନରୁ ଗତ ନଭେମ୍ବର ୧୯ ତାରିଖ ରାତିରେ ଚୋରି ହୋଇଥିଲା। ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା। ଏହି ଘଟଣାର ମାଷ୍ଟର ମାଇଣ୍ଡ ପରଦେଶୀପଡ଼ାର ବିକାଶ ପ୍ରଧାନ ଓରଫ ରବି(୨୪), ପୁରୁଣାପଡ଼ାରେ ଏକ ଦୋକାନ ଦେଇଛି। ଘଟଣାଦିନ ଦୁଇଟି ବାଇକ ଯୋଗେ ବିକାଶ ପ୍ରଧାନ, ପୁରୁଣାପଡ଼ାର ଜଣେ ୧୩ବର୍ଷୀୟ ନାବାଳକ, ପରଦେଶୀପଡ଼ାର ୧୭ବର୍ଷୀୟ ୩ଜଣ ନାବାଳକ ସମେତ ୫ଜଣ ନକଟିଗୁଡ଼ା ଛକଠାରେ ଥିବା ଏକ ହାଡୱେର ଦୋକାନରୁ ଆରିପାତି କ୍ରୟ କରି ଚୋରି ଅଭିଯାନ ଆରମ୍ଭ କରିଥିଲେ। ଷ୍ଟେଚୁ ଛକ ସତ୍ୟସାଇ ମୋବାଇଲ ଦୋକାନ ସମ୍ମୁଖରେ ଏକ ଟ୍ରକଥିବା ଯୋଗୁଁ ସାମ୍ନାରୁ ଦୋକାନର ସଟର ଦେଖାଯାଉ ନଥିଲା। ଏହାର ସୁଯୋଗ ନେଇ ତାଲା କାଟିବା ସହିତ ସଟରଖୋଲି ମୋବାଇଲ ଓ ଅନ୍ୟ ସାମଗ୍ରୀ ଚୋରି କରିଥିଲେ। ସେଠାରୁ ଥୁଆମୂଳ ରାମପୁର ରାସ୍ତାରେ ଯାଇ ମୋବାଇଲର କଭରଖୋଲି ଫିଙ୍ଗି ଦେଇଥିଲେ। ଚାରି ଜଣ ନାବାଳକକୁ ୪ଟି ମୋବାଇଲ ଦେବା ସହିତ ବାକି ସାମଗ୍ରୀ ବିକାଶ ପ୍ରଧାନ ରଖିଥିଲା। ଚଳିତ ମାସରେ ଭବାନୀପାଟଣା ସହରସ୍ଥିତ ଆମ୍ବଗଛ ପଡାର ଶିବ ଓରଫ ପଦ୍ମନ ରାଉତ (୧୯) ଓ ଦୁଇଜଣ ନାବାଳକ ନକଟିଗୁଡ଼ା ଟିଭିସେଣ୍ଟର ଠାରେ ଶମ୍ଭୁନଗର ପଡ଼ାର ଶିବରାମ ପ୍ରଧାନଙ୍କ ଠାରୁ ମୋବାଇଲ ଲୁଟି ନେଇଥିଲେ। ସେହିଭଳି ପରଦେଶୀପଡ଼ାର ଜଣେ ନାବାଳକ ଟାଉନ ଥାନା ସମ୍ମୁଖରେ ଥିବା ଏକ ଔଷଧ ଦୋକାନରୁ ୧୦ ହଜାର ଟଙ୍କା ଚୋରି କରିଥିଲେ। ଏନେଇ ପୁଲିସ ପକ୍ଷରୁ ଦୁଇଟି ଟିମ ଗଠନ କରି ଚୋରି ମୋବାଇଲର ଆଇଏମଇଆଇ ନମ୍ବର ଟ୍ରାକ କରି ସୁରାକ ପାଇଥିଲେ। ଏହି ଘଟଣାରେ ଆଜି ଭବାନୀପାଟଣା ଟାଉନ ଥାନା ପୁଲିସ ଏହି ୩ଟି ମାମଲାରେ ତଦନ୍ତ କରୁଥିବା ସବଇନିସପେକ୍ଟର ଡମ୍ବରୁଧର ବତ୍ରିଆ, ଏଏସଆଇ କ୍ଷୀରୋଦ ବିଶ୍ୱାଳଙ୍କ ନେତୃତ୍ୱରେ ପୁଲିସ ଟିମ ଦୁଇଜଣ ମୁଖ୍ୟ ଅଭିଯୁକ୍ତ ବିକାଶ ପ୍ରଧାନ ଓ ପଦ୍ମନ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟ ୭ଜଣ ନାବାଳକଙ୍କୁ ବ୍ରହ୍ମପୁର ଜୁଭେନିଆଲ ହୋମକୁ ପଠାଇ ଦିଆଯାଇଛି। ସେମାନଙ୍କ ଠାରୁ ୨୩ଟି ମୋବାଇଲ ଓ ୮୭୦ ଟଙ୍କା ଜବତ ହୋଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ବିରଞ୍ଚି ନାରାୟଣ ଦେହୁରୀ, ଟାଉନଥାନା ଆଇଆଇସି ରମେଶଚନ୍ଦ୍ର ବିଷୋଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର