କଳାହାଣ୍ଡିରେ ୮ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା: ସ୍କୁଲ୍‌ରେ ହୋଇଥିବା ଗର୍ଭପାତ ଉଦ୍ୟମର ମାଷ୍ଟର୍‌ମାଇଣ୍ଡ୍‌ କିଏ? କାହିଁକି ଖୁଆଗଲା ଔଷଧ?

ଭବାନୀପାଟଣା/ ସମ୍ବଲପୁର : କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀର ପିଲା ପ୍ରସବ କଥା ମନରୁ ନ ଲିଭୁଣୁ କଳାହାଣ୍ଡିର ନର୍ଲାସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅନୁରୂପ ଅଭାବନୀୟ ଘଟଣା। ନର୍ଲାର ଏକ ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଝିଅ ୮ ସପ୍ତାହର ଗର୍ଭବତୀ ହେବା ଓ ପରେ ତାଙ୍କୁ ଗୁପ୍ତ ଭାବେ ଔଷଧ ଦିଆଇ ଗର୍ଭପାତ କରାଇବା ଉଦ୍ୟମ ପରେ ପୀଡ଼ିତା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଅନୁସାରେ, ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡ଼ିବା ପରେ ତାଙ୍କର ଗର୍ଭ ନଷ୍ଟ କରିବା ପାଇଁ ତାଙ୍କୁ ଦିଆଯାଇଥିବା ଔଷଧ ଓଲଟା କାମ କରିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କର ରକ୍ତସ୍ରାବ ବନ୍ଦ ନ ହେବାରୁ ୧୪ ତାରିଖ ଅପରାହ୍ନ ୧୨.୧୦ ସମୟରେ ନାବାଳିକା ଛାତ୍ରୀଙ୍କୁ ଭବାନୀପାଟଣା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ବି ତାଙ୍କ ଅବସ୍ଥା ନ ସୁଧୁରିବାରୁ ଶେଷରେ ୧୬ ତାରିଖ ଦିନ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତେବେ କିଏ ତାଙ୍କର ଗର୍ଭପାତ କରାଇବା ଉଦ୍ୟମ କରିଥିଲା ତାହା ଜଣାପଡ଼ି ନାହିଁ।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ, ନାବାଳିକାଙ୍କୁ ଦିଆଯାଇଥିବା ଔଷଧରେ ତାଙ୍କର ଗର୍ଭପାତ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ବୁର୍ଲା ଡାକ୍ତରଖାନାର ଡାକ୍ତରମାନେ ବାକି ଭ୍ରୁଣକୁ ତାଙ୍କ ପେଟରୁ କାଢ଼ି ସଫା କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦିଓ ନାବାଳିକା ଜଣକ ସଂପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ, ତଥାପି ଲୋକଲଜ୍ଜା ଭୟରେ ତାଙ୍କ ପରିବାର ଲୋକ ଆଜି ତାଙ୍କୁ ଘରକୁ ନେଇ ପଳାଇ ଯାଇଛନ୍ତି। ପୀଡ଼ିତା ଅନ୍ୟ ରାଜ୍ୟର ହୋଇଥିବା ଜଣାପଡ଼ିଛି।

ସୂଚନା ରହିଛି କି, ନାବାଳିକା ପାଠପଢ଼ିବା ପାଇଁ ଓଡ଼ିଶା ଆସିଥିଲେ।  ତାଙ୍କ ଗର୍ଭବତୀ ହେବା ପଛରେ ସେ ପଢୁଥିବା ସ୍କୁଲ୍‌ର ଶିକ୍ଷକଙ୍କର ହାତ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ପୀଡ଼ିତା ଜଣକ ଗର୍ଭବତୀ ଥିବା ସମୟରେ କିଏ ଓ କାହିଁକି ତାଙ୍କୁ ଗର୍ଭପାତ ଔଷଧ ଦେଇଥିଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି। ତେବେ ଏ ନେଇ ଥାନାରେ ମାମଲା ହୋଇ ନ ଥିବା ଜଣାପଡ଼ିଛି।

ଏ ସଂପର୍କରେ ଉପଜିଲ୍ଲାପାଳଙ୍କୁ ପଚରା ଯିବାପରେ ସେ କହନ୍ତି, ‘ସ୍କୁଲ୍‌ ପ୍ରିନ୍ସିପାଲ୍‌ଙ୍କୁ ଥାନାରେ ଏକ ଏତଲା ଦେବା ପାଇଁ କୁହାଯାଇଛି। ମାତ୍ର ପୁଲିସ୍‌ କହିବା ମୁତାବକ, ଏଯାବତ୍‌ କୌଣସି ଏତଲା ଦାୟର ହୋଇନାହିଁ।’

ସମ୍ବନ୍ଧିତ ଖବର