ଅପହରଣ ପରେ ଠିକାଦାରଙ୍କୁ ଗୁଳି କରି ହତ୍ୟା:୨୦ ବର୍ଷ ତଳ ହତ୍ୟାର ପ୍ରତି‌ଶୋଧ ସନ୍ଦେହ; ୨ ଅଟକ, ୨ ଫେରାର

ଶବ ରଖି ରାସ୍ତାରୋକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିର୍ଲିଗୁଡା ଗ୍ରାମର ଠିକାଦାର ରଘୁନା‌ଥ ଜାଲଙ୍କୁ କେତେକ ଦୁର୍ବୃତ୍ତ ଅପହରଣ ପରେ ଗୁଳି କରି ହତ୍ୟା କରିଛନ୍ତି। ଏହା ୨୦ବର୍ଷ ତଳର ହତ୍ୟାକାଣ୍ଡର ପ୍ରତିଶୋଧ ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ୨ ଜଣଙ୍କୁ ଥାନାରେ ଅଟକ ରଖିଛି। ଅନ୍ୟ ୨ଜଣ ଫେରାର ହୋଇ ଯାଇଛନ୍ତି। ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଛାନଭିନ କରୁଛନ୍ତି। ଉତ୍ତ୍ୟକ୍ତ ସିର୍ଲିଗୁଡା ଗ୍ରାମବାସୀ ମୃତ ରଘୁନାଥଙ୍କ ଶବ ରଖି ରାସ୍ତାରୋକ କରିଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିର୍ଲିଗୁଡା ଗ୍ରାମର ରଘୁନାଥ ଜାଲ(୩୨) ଠିକା କାମ କରୁଥିଲେ। ଗତ ୧ ତାରିଖ ଦିନ ସାଙ୍ଗମାନଙ୍କ ସହିତ ଭୋଜିଭାତ କରିଥିଲେ। ସନ୍ଧ୍ୟାରେ କିଛି ଯୁବକ ଏକ ବଲେରୋ ଗାଡିରେ ଶଗଡା ଚେକଗେଟ ଠାରୁ ୩୦୦ ମିଟର ଦୂରରେ ଗୁଳି କରି ରଘୁନାଥଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ମୃତ ରଘୁନାଥଙ୍କ ଶରୀରରେ ୨ଟି ଗୁଳି ବାଜିଥିବା କ୍ଷତରୁ ଅନୁମାନ କରାଯାଉଛି। ଘଟଣାର ତଦନ୍ତ ଦାବି କରି ଗ୍ରାମବାସୀ ଭବାନୀପାଟଣା ପୁଲିସ ଏସଡିପିଓଙ୍କ ଅଫିସ ଓ ସଦରଥାନା ଘେରାଉ କରିଥିଲେ। ବନ ବିଭାଗ ପକ୍ଷରୁ ଏକ ମୃତ ଦେହ ଶଗଡା ଚେକଗେଟ ନିକଟରେ ପଡିଥିବା ପୁଲିସକୁ ଖବର ଦେଇଥିଲେ। ଆଜି ପୁଲିସ ପକ୍ଷରୁ କେସ ନଂ ୧୧/୧୯ରେ ଏକ ହତ୍ୟକାଣ୍ଡ ମାମାଲା ରୁଜୁ କରି ସଦର ଥାନା ଆଇଆଇସି ପ୍ରଦୀପ କୁମାର ଧରୁଆ ଘଟଣାର ତଦନ୍ତ କରୁଛନ୍ତି। ପୁଲିସ ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକେ ଓ ଗ୍ରାମବାସୀ ସିର୍ଲିଗୁଡା ଛକ ଠାରେ ଶବକୁ ରଖି ଅନୁକମ୍ପା ରାଶି ଓ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରୋକ କରିଥିଲେ। ଭବାନୀପାଟଣା ଥୁଆମୂଳ ରାମପୁର ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ଘଟଣାସ୍ଥଳରେ ଭବାନୀପାଟଣା ସଦର ବିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ପୁଲିସ ଏସଡିପିଓ ବିରଞ୍ଚି ନାରାୟଣ ଦେହୁରୀ, ସଦର ଥାନା ଆଇଆଇସି ପ୍ରଦୀପ ଧରୁଆ ପ୍ରମୁଖ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ ଓ ରେଡକ୍ରସରୁ ଆର୍ଥିକ ସହାୟତା ଦେବା ଓ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଦୁର୍ବୃତ୍ତମାନେ ସୁଇଫ୍ଟ ଡିଜାୟାର କାର ( ଓଡି ୦୨ ୩୩୬୬)ରେ ଆସିଥିବା ଗତ ୧ ତାରିଖ ରାତି ସାଢେ ୯ଟାରେ ଶଗଡା ଚେକ‌େଗେଟରେ ଦରଜ ହୋଇଥିବା ଜଣାପଡିଛି । କିନ୍ତୁ ଏହା ନକଲି ନମ୍ବର ବୋଲି ପୁଲିସ ସନ୍ଦେହ କରୁଛି। ଏହି ଗାଡି ନମ୍ବରଟି ଭୁବନେଶ୍ବରର ବୋଲି ପୁଲିସ ଅନୁମାନ କରୁଛି। ମୃତ ରଘୁନାଥଙ୍କ ଗ୍ଲାମର ବାଇକ ସଂକ୍ରିଗୁଡାର ସୁରେନ୍ଦ୍ର ମାଝୀଙ୍କ କୁଡିଆ ଘରୁ ପୁଲିସ ଠାବ କରିଛି। ଅନ୍ୟପକ୍ଷରେ ଗତ ୨୦ ବର୍ଷ ତଳେ ସିର୍ଲିଗୁଡାରେ ଏକ ହତ୍ୟାକାଣ୍ଡ ହୋଇଥିଲା। ମୃତ ରଘୁନାଥର କାକା ବର୍ତ୍ତମାନ ଅଟକ ଥିବା‌ ଜଣେ ଯୁବକଙ୍କ ବାପାକୁ ହତ୍ୟା କରିଥିଲେ। ତେଣୁ ଏହି ଶତ୍ରୁତାକୁ ନେଇ ଏଭଳି ହତ୍ୟା‌କାଣ୍ଡ ହୋଇଥା‌ଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର