ପାକିସ୍ତାନକୁ ଚାଲାଣ ରାସାୟନିକ ସାମଗ୍ରୀ ଜବତ : ୨ ଟ୍ରକ୍‌ ସହ ଡ୍ରାଇଭର୍‌ ଅଟକ

ଭବାନୀପାଟଣା : ଛତିଶଗଡ଼ରୁ ବିଶାଖାପାଟଣା, ବିଶାଖାପାଟଣାରୁ ପାକିସ୍ତାନକୁ ଚାଲାଣ ହେବାକୁଥିବା ରାସାୟନିକ ପଦାର୍ଥ ବୋଝେଇ ଟ୍ରକ୍‌ ଭବାନୀପାଟଣାଠାରେ ଧରାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଛତିଶଗଡ଼ ରାଜ୍ୟ ଭିଲାଇରୁ ଏକ ଟ୍ରକ୍‌ (ସିଜି ୦୪ଏମ୍‌ ୭୩୬୫ ଓ ସିଜି ୦୪ ଏଚ୍‌ ଜେଡ୍‌ ୬୯୮୭ ନମ୍ବର) ବିଶାଖାପାଟଣା ଯାଉଥିଲା। ଏହି ଟ୍ରକ୍‌ରେ ଚମଡ଼ା କାରଖାନାଗୁଡ଼ିକରେ ବ୍ୟବହୃତ ହେଉଥିବା ବେସିକ୍‌ କ୍ରୋମିୟମ୍‌ ସଲ୍‌ଫେଟ୍‌ ଗୁଣ୍ଡ ବୋଝେଇ ହୋଇ ରହିଥିଲା। ବିଳମ୍ବିତ ରାତିରେ ମାଣିଙ୍ଗ ବାଇପାସ ଦେଇ ଭବାନୀପାଟଣା ଅତିକ୍ରମ କରୁଥିବାବେଳେ ପୁଲିସ୍‌ ହାତରେ ଧରାପଡ଼ିଥିଲା। ତେବେ, ଏହି ରାସାୟନିକ ପଦାର୍ଥ ବିଶାଖାପାଟଣାରୁ କୁଆଡ଼େ ପାକିସ୍ତାନର କରାଚିକୁ ଯାଇଥାଏ ବୋଲି ତଦନ୍ତରୁ ଜଣାପଡ଼ିଛି। ସଦର ଥାନା ପୁଲିସ ଆଇଆଇସି ପ୍ରଦୀପ ଧରୁଆଙ୍କୁ ପଚାରିବାରୁ ଦୁଇଟି ଟ୍ରକ୍‌କୁ ଅଟକ ରଖି ରାସାୟନିକ ପଦାର୍ଥର ନମୁନା ଫୋରେନ୍‌ସିକ୍‌ ଲ୍ୟାବ୍‌କୁ ପରୀକ୍ଷା ନିମନ୍ତେ ପଠାଯାଇଛି; ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର