କାଳବୈଶାଖୀରେ ଭାଙ୍ଗିଲା ୫ ଘର : କୋମନାରେ ବ୍ୟାପକ କ୍ଷତି

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ଗୁରୁବାର କାଳବୈଶାଖୀରେ ୫ଟି ଘର ଭାଙ୍ଗିଥିବା ଜଣାଯାଇଛି।
ପ୍ରକାଶ ଯେ, ଗୋପାଳପୁର ପଞ୍ଚାୟତ ପାଡେଲଗୁଡା ଗାଁରେ କାଳ ବୈଶାଖୀ ଯୋଗୁଁ ଧୋବେନ ନାଗ, ମାଳି ମାଝୀ, ଲୁଦା ମାଝୀ, ସୁବଳ ମାଝୀ, ପେଟୁ ମାଝୀଙ୍କ ଘର ଭାଙ୍ଗି ଯାଇଛି। ଏହି ପରିବାର ବାସହରା ହୋଇ ପଡ଼ିଛନ୍ତି। ବର୍ଷା ଯୋଗୁଁ ଧାନ, ଚାଉଳ, ଟଙ୍କା ପଇସା ଆଦି ଆସବାବପତ୍ର ନଷ୍ଟ ହୋଇଯାଇଛି। ଏନେଇ ଗୋପଳପୁର ସରପଞ୍ଚ ପଦ୍ମବତୀ ମାଝୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିବାବେଳେ କୌଣସି ଅଧିକାରୀ କ୍ଷୟକ୍ଷତି ହୋଇଥିବା ସ୍ଥାନରେ ପହଞ୍ଚି ନଥିବା ଜଣାପଡିଛି। ସେହିଭଳି ବ୍ଲକର ବହୁ ଦୁର୍ଗମ ଅଞ୍ଚଳରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟଗ୍ରସ୍ତ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

କୋମନା: କୋମନା ବ୍ଲକ୍‌ କାଳିମାଟି ଗାଁରେ ଗତ ମଙ୍ଗଳବାର, ବୁଧବାର କାଳବୈଶାଖୀ ଓ ବର୍ଷା ଯୋଗୁଁ ପିଆଜ ଓ ପନିପରିବା ଚାଷ ବହୁ ମାତ୍ରାରେ କ୍ଷତି ହୋଇଛି। ଗାଁର ଅନେକ ଚାଷୀଙ୍କ ୮୦ରୁ ଅଧିକ ଏକର ଜମିରେ ହୋଇଥିବା ପିଆଜ ସମେତ ପରିବା ଚାଷ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଚାଷ ଜମିରେ ବର୍ଷା ପାଣି ରହିଥିବା ବେଳେ ଅଧା ପିଆଜ ଅମଳ ହୋଇ ଚାଷୀମାନେ ଖାଲି ସ୍ଥାନରେ ରଖିଥିିଲେ। ତାହା ବର୍ଷା ଯୋଗୁଁ ଭିଜି ଯାଇଥିବାରୁ ନଷ୍ଟ ହୋଇଯିବା ଆଶଙ୍କା ରହିଛି। ପୁଣି ବର୍ତ୍ତମାନ ପରିସ୍ଥିତିରେ ପିଆଜ ଅଭାବି ବିକ୍ରି ସହିତ ପିଆଜ ରଖିବା ପାଇଁ ଗୋଦାମ ନଥିବାରୁ ଚାଷୀମାନଙ୍କର ମୁଣ୍ଡବିନ୍ଧା ବଢ଼ିବାରେ ଲାଗିଛି। ଏ ଦିଗରେ ବିଭାଗ ଓ ପ୍ରଶାସନ ତରଫରୁ ଠିକ୍‌ ଭାବରେ ତଦନ୍ତ କରି ଚାଷୀମାନଙ୍କୁ କ୍ଷୟକ୍ଷତି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ସ୍ଥାନୀୟ ତହସିଲଦାରଙ୍କୁ ପଚାରିବାରୁ ଅଭିଯୋଗ ହେଲା ପରେ ସ୍ଥାନୀୟ ଆର୍‌ଆଇମାନଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଓ ସରକାରୀ ନିୟମ ଅନୁସାରେ ଚାଷୀମାନଙ୍କୁ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର