ବିଭାଗୀୟ ତଦନ୍ତ ନେଇ ସନ୍ଦେହ, ଘଣ୍ଟ ଘୋଡାଉଛି ଶିକ୍ଷା ବିଭାଗ

ଦେଉଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀମାନେ ଅନୁପସ୍ଥିତ ରହିବା ଘଟଣା

ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦେଉଣ୍ଡି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଦୁଇଜଣ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପ୍ରାୟ ସମୟରେ ଅନୁପସ୍ଥିତ ରହୁଥିବା ନେଇ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଥିଲେ। ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆନଯିବା ନେଇ ବିଭାଗୀୟ ତଦନ୍ତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଦେଉଣ୍ଡି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ଶିକ୍ଷୟିତ୍ରୀ ଗିରିସୁତା ନାଏକ ଓ ଘମିତା ଧଙ୍ଗଡ଼ାମାଝୀ ସ୍କୁଲକୁ ନିୟମିତ ଭାବେ ଆସନ୍ତି ନାହିଁ। କେବଳ ଦରମା ପାଇଁ ଥରକେ ମାସକର ଦସ୍ତଖତ କରି ଦରମା ହାତଉଥିବା ନେଇ ଗ୍ରାମବାସୀମାନେ ଗତ ଏପ୍ରିଲ ୮ ତାରିଖ ଦିନ ବିଇଓଙ୍କୁ ଅଭିଯୋଗ କରିଥିଲେ। ବିଇଓ ଏହାର ତଦନ୍ତ କରିବା ପାଇଁ ବିଆରସିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଏବିଇଓ ତଥା ବିଆରିସିସି ନବକିଶୋର ପାଢ଼ୀଙ୍କୁ ପଚାରିବାରୁ ଗତ ସୋମବ‌ାର ଦିନ ତଦନ୍ତ ପାଇଁ ସ୍କୁଲକୁ ଯାଇଥିଲି। ସ୍କୁଲର ପ୍ରଧାନଶିକ୍ଷକଙ୍କୁ କୁହାଯାଉଛି ଯେଉଁଦିନ ସଂପୃକ୍ତ ଶିକ୍ଷୟିତ୍ରୀ ଉପସ୍ଥିତ ନ ରହିବେ ସେହିଦିନ ଉପସ୍ଥାନରେ ସିଏଲ୍ ଲେଖିବା ପାଇଁ କହିଥିଲେ। ରବିବାର ଦିନରେ ଶିକ୍ଷୟିତ୍ରୀ ଜଣକ ଉପସ୍ଥାନରେ ଦସ୍ତଖତ ଦେବା କଥା ଭୁଲରେ ଶିକ୍ଷୟିତ୍ରୀ ଜଣକ ଦସ୍ତଖତ ଦେଇଛନ୍ତି। ସେମାନେ ନିୟମିତ ଆସୁଛନ୍ତି କେବଳ ଗୋଟିଏ ଦିନ ଗାଡ଼ି ଖରାପ ଯୋଗୁଁ ବିଳମ୍ବରେ ଆସିଥିଲେ ବୋଲି କହିଥିଲେ। ଘଟଣାକୁ ଚପାଇଦେବାକୁ ଉଦ୍ୟମ କରି ସ୍କୁଲ କର୍ତ୍ତୃପକ୍ଷ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଅନୁପସ୍ଥିତ ତାରିଖରେ ସଂପୃକ୍ତ ଶିକ୍ଷୟିତ୍ରୀମାନେ ଦସ୍ତଖତ କରିବା ସହିତ ରବିବାର ଛୁଟିଦିନ ମଧ୍ୟ ଦସ୍ତଖତ କରିଥିବା ନେଇ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଏହି ଘଟଣାର ପ୍ରଶାସନକି ତଦନ୍ତ କରାଗଲେ ଶିକ୍ଷା ବିଭାଗ ଘଟଣାକୁ ଚପାଇଦେବା ଉଦ୍ୟମ ସାମ୍ନାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର