ଚାଉଳିଆପଡ଼ାରେ କିଡ୍‌ନି ରୋଗ ଆତଙ୍କ

ତିନି ବର୍ଷରେ ୪ ମ‌େଲଣି

ଗଡ଼ିଆଯୋର ଧର୍ମଗଡ଼ ବ୍ଲକ ବଡ଼ଘୁମର ପଞ୍ଚାୟତ ଚାଉଳିଆପଡ଼ାରେ କିଡନୀ ରୋଗ ଯୋଗୁଁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗତ ତିନି ବର୍ଷରେ ଏହି ରୋଗ ୪ ଗ୍ରାମବାସୀଙ୍କ ଜୀବନ ନେଇ ସାରିଲାଣି।
ଏହି ଗାଁରେ ପ୍ରାୟ ୬୦ ପରିବାରରେ ୩ ଶହରୁ ଅଧିକ ଲୋକ ରହୁଛନ୍ତି। ଗାଁରେ ମାତ୍ର ୪ଟି ନଳକୂଅ ରହିଛି। ଗୋଟିଏ ନଳକୂଅର ପାଣିକୁ ଗ୍ରାମବାସୀ ପାନୀୟ ଭାବେ ବ୍ୟବହାର କରିଥାନ୍ତି। କିନ୍ତୁ ଏହି ପାଣିରେ ବି ଫ୍ଲୋରାଇଡ ରହିଥିବା ସନ୍ଦେହ କରାଯାଉଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ୨୦୧୬ ମସିହାରେ ଗାଁର କାଞ୍ଚନ ଗୋପାଲ ନାମ୍ନୀ ଜଣେ ମହିଳା କିଡନି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ପରେ ଗତ ୨୦୧୭ ସେପ୍ଟେମ୍ବର ମାସରେ ପଦ୍ମସେନୀ ଗୋପାଲ, ତୁଳସୀରାମ ଗୋପାଲ ଓ ପ୍ରେମ ଗୋପାଲ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ପଦ୍ମସେନୀଙ୍କ ସେ ସମୟରେ ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା। ଗ୍ରାମରେ ଆହୁରି ଅନେକ କିଡନୀ ରୋଗରେ ଆକ୍ରାନ୍ତ ଲୋକ ଥିବା ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ କରିଥିଲା ସ୍ବାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ପାନୀୟ ଜଳ ବିଭାଗ। ନଳକୂଅରୁ ଜଳର ନମୁନା ନିଆଗଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ରିପୋର୍ଟ କଣ ଆସିଲା କେହି ଜାଣି ନାହାନ୍ତି। ଗତ ଡିସେମ୍ବର ମାସ ୧୯ ତାରିଖରେ ବିଦୁଲତା ଗୋପାଲ (୪୫) ଓ ୨୭ ତାରିଖରେ ଥବିର ଚନ୍ଦ୍ର ଗୋପାଲ ମଧ୍ୟ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ବର୍ତ୍ତମାନ ଗ୍ରାମର ତୁଳସୀରାମ ଗୋପାଲ, ଜଗମୋହନ ଗୋପାଲ, ତ୍ରେତୟା ଗୋପାଲ, ବନମାଳୀ ଗୋପାଲ, ସୁତୟା ଗୋପାଲ ଓ ଉମାଶଂକର ଗୋପାଲ କିଡନୀ ରୋଗରେ ଆକ୍ରାନ୍ତ ରହିଛନ୍ତି। ସଚେତନତା ଅଭାବ ଓ ଆର୍ଥିକ ଅଭାବ ଯୋଗୁ କବିରାଜଙ୍କ ଠାରୁ ଚିକିତ୍ସିତ ହେଉଛନ୍ତି। ତୁରନ୍ତ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର