କପି ରୋକିବାରେ ଶିକ୍ଷା ବିଭାଗ ବିଫଳ:ସୋସିଆଲ ମିଡିଆରେ ଘୂରି ବୁଲିଲା ପ୍ରଶ୍ନପତ୍ର

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମହିଚଲା, ଚାରବାହାଲ ଓ କାଲୋପଲା ପରୀକ୍ଷା କେନ୍ଦ୍ରରେ ଆଜି ସି-ସେଟର ଇତିହାସ ଓ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ହେବା ଓ ସୋସିଆଲ ମିଡିଆରେ ଘୁରି ବୁଲିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ଜୁନାଗଡ଼ ବ୍ଲକ ମହିଚଲା, ଚାରବାହାଲ ପରୀକ୍ଷା କେନ୍ଦ୍ରରେ ଆଜି ଶେଷ ଦିନରେ ଇତିହାସ ଓ ରାଜନୀତି ବିଜ୍ଞାନ ପରୀକ୍ଷା ଥିଲା। ସେହିଭଳି କାଲୋପଲାରେ ଏସ୍‌ଆଇଓଏସ ପରୀକ୍ଷା ମଧ୍ୟ ଆଜି ସକାଳ ୯ଟାରେ ପରୀକ୍ଷା ଦେବା ପାଇଁ କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ। ୯ଟା ୧୫ରେ ସ୍କୁଲ ଭିତରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା ଓ ବାହାରେ ବସିଥିବା ପରୀକ୍ଷାର୍ଥୀଙ୍କ ସହଯୋଗୀଙ୍କ ମୋବାଇଲ ହ୍ଵାଟ୍‌ସଅପ୍‌ରେ ଘୁରିବୁଲୁଥିଲା।

ଲୋକେ ସହଜରେ ପ୍ରଶ୍ନପତ୍ର ପାଇ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇଥିଲେ। ଏହି ପ୍ରଶ୍ନପତ୍ର କାଲୋପଲା ଅଞ୍ଚଳର ଲୋକଙ୍କ ସୋସିଆଲ ମିଡିଆରେ ଉପଲବ୍ଧ ହୋଇଥିଲା। ଶିକ୍ଷା ବିଭାଗ କପି ରୋକିବା ପାଇଁ ବହୁ ପଦକ୍ଷେପ ନେଇଥିଲେ। ଶିକ୍ଷକଙ୍କୁ ଗୋଟିଏ ଜାଗାରେ ମୋବାଇଲ ଜମା କରି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପାଇଁ ତାଗିଦ କରାଯାଇଥିଲା। ଶିକ୍ଷା ବିଭାଗର ତାଗିଦକୁ ଶିକ୍ଷକମାନେ ବେଖାତିର କରି ପୁଣି ନିଜ ମୋବାଇଲରେ ପ୍ରଶ୍ନପତ୍ର ଫଟୋ ଉଠାଇ ପ୍ରଘଟ କରିବା ଅଭିଯୋଗ ହୋଇଛି । ତାଗିଦ ସତ୍ତ୍ୱେ ହ୍ଵାଟସ୍‌ଅପ୍‌ରେ ପ୍ରଶ୍ନପତ୍ର ପ୍ରଘଟ ହେବା ଓ ଶିକ୍ଷା ବିଭାଗ କପି ରୋକିବାରେ ବିଫଳ ନେଇ ଜିଲ୍ଲା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କୁ ପଚାରିବାରୁ କାଲୋପଲା ପରୀକ୍ଷା କେନ୍ଦ୍ରରେ ଏସଆଇଓଏସ ପରୀକ୍ଷା ଚାଲିଛି। ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣା ଗୁଜବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର