ମିସନ-୧୨୦ କୁ ଭୁଲିଗଲେ!

ଭବାନୀପାଟଣା : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ଜନସମାବେଶରେ ଓଡ଼ିଶାର ମିସନ ୧୨୦ ନେଇ ସ୍ପଷ୍ଟ ଭାବରେ ଉଦବୋଧନ ନଦେଇ କର୍ମୀଙ୍କୁ ଭୁତେଇଥିବା ଦେଖିବାକୁ ମିଳିଥିଲା। କଳାହାଣ୍ଡି ଗସ୍ତରେ ପ୍ରଥମ ଥର ପାଇଁ ଅମିତ ଶାହ ଆସିଥିବାରୁ ଦଳୀୟ କର୍ମୀମାନେ ବେଶ ଉତ୍ସାହିତ ହୋଇଥିଲେ। ଓଡ଼ିଶାର ମିସନ ୧୨୦ ନେଇ କର୍ମୀଙ୍କୁ ସ୍ପଷ୍ଟ ଭାବେ ନିଜର ମାର୍ଗ ଦର୍ଶନ କରିବେ ବୋଲି ଆଶା କରୁଥିଲେ। ଅନ୍ୟ ପକ୍ଷରେ ଶାହ ଭାଷଣରେ ଏନେଇ ଠୋସ ଭାବେ କିଛି କହି ନଥିଲେ।

କଳାହାଣ୍ଡି ବିଜେପି ପକ୍ଷରୁ ଆଶାତୀତ ଭିଡ଼ ନଥିବା ଯୋଗୁଁ କେନ୍ଦ୍ରୀୟ ନେତାମାନେ ଉଭୟ ରାଜ୍ୟ ଓ ଜିଲ୍ଲା ପଦାଧିକାରୀଙ୍କୁ କୁଆଡ଼େ ବିଗିଡ଼ିଥିଲେ। ଲକ୍ଷାଧିକ ଭିଡ଼ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆଶାନୁରୂପ ଲୋକ ନ ଆସିବା ଜିଲ୍ଲା ସଂଗଠନ କାର୍ଯ୍ୟଦକ୍ଷତା ଉପରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି। ଉଭୟ ରାଜ୍ୟ ଓ ଜିଲ୍ଲା ସଭାପତିଙ୍କ ଉପରେ କେନ୍ଦ୍ରୀୟ ନେତାମାନେ ଖୁସ ନଥିବା ପରିଲକ୍ଷିତ ହେଉଥିଲା। ଅମିତଙ୍କ ସମ୍ମୁଖରେ କେବଳ ଜିଲ୍ଲା ସଭାପତି ଫୁଲ ତୋଡ଼ା ଦେବା ଓ ରାଜ୍ୟ ସଭାପତି ଅଳ୍ପରେ ସ୍ୱାଗତ ଭାଷଣ ଦେବାରୁ ସେମାନଙ୍କ ଗାଦି ପ୍ରତି ବିପଦ ଥିବା କର୍ମୀ ମହଲରେ ଆଲୋଚନା ହେଉଥିଲା।

ସନ୍ଧ୍ୟାରେ ମାଣିକେଶ୍ୱରୀ ଦର୍ଶନ ବେଳେ ମନ୍ଦିର ଭିତରେ କଳାହାଣ୍ଡି ରାଜ ପରିବାରର ଦୁଇ ସଦସ୍ୟଙ୍କ ସହ ବଲାଙ୍ଗୀର ପୂର୍ବ ସାଂସଦ ସଙ୍ଗୀତା ସିଂହଦେଓଙ୍କ ଉପସ୍ଥିତି ନେଇ ଅମିତ ରାଜ ପରିବାର କାର୍ଡ ଉପରେ ଭରସା କରିଥିବା ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ମନ୍ଦିର ଦର୍ଶନ ପରେ ହୋଟେଲ ଭାଗୀରଥି ଇନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅମିତ ଆଗାମୀ ୨୦୧୯ ନିର୍ବାଚନର ଗୁରୁମନ୍ତ୍ର ଦେଇଥିଲେ। ଏହି ବୈଠକରେ ରାଜ୍ୟ ପ୍ରଭାରୀ, ଦଳର ସାଂଗଠନିକ ସ୍ଥିତି, ରଣକୌଶଳ ଉପରେ ଆଲୋଚନା ହୋଇଥିଲା। ଏଥିରେ ରାଜ୍ୟ ପଦାଧିକାରୀ, ବିସ୍ତାରକ, ପୂର୍ବ ଜିଲ୍ଲା ସଭାପତି, ପ୍ରଭାରୀ ସମେତ ୧୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଅମିତଙ୍କ କଳାହାଣ୍ଡି ଗସ୍ତ ଆଗାମୀ ନିର୍ବାଚନ ପାଇଁ କିଭଳି ଲାଭପ୍ରଦ ହେଉଛି ଏବଂ ମିସନ ୧୨୦ କେତେଦୂର ସକ୍ଷମ ହେଉଛି ତାହା ଦଳ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲା ବିଜେପିରେ ୩ଗୋଷ୍ଠୀ ଥିବା ବେଳେ ଅମିତଙ୍କ ଗୁରୁମନ୍ତ୍ର ଏହି ଫାଟ ଯୋଡ଼ିବାକୁ କେତେଦୂର ସଫଳ ହେବ ବୋଲି ଆଲୋଚନା ହେଉଛଇ।

ସମ୍ବନ୍ଧିତ ଖବର