ପ୍ରସୂତି ଓ ସ୍ତ୍ରୀ ରୋଗ ଏବଂ ଶିଶୁ ରୋଗ ବିଶେଷଜ୍ଞ ଅଭାବ:କଳାହାଣ୍ଡିରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଅଛନ୍ତି ୨୩ ସ୍ଥାନରେ ୭ ପ୍ରସୂତି ଓ ୧୮ ସ୍ଥାନରେ ୬ ଶିଶୁ ରୋଗ ବିଶେଷଜ୍ଞ

କେସିଙ୍ଗା: କଳାହାଣ୍ଡି ଜିଲ୍ଲାରେ ପ୍ରସୂତିି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆବଶ୍ୟକତା ଠାରୁ ଢେର୍‌ କମ୍‌ ରହିଥିବା ଦେଖିବାକୁ ମିଳିଛି। ବହୁ ବର୍ଷ ହେଲା ଏଭଳି ସ୍ଥିତି ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଏହି ଦୁଇ ବିଭାଗର ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
କଳାହାଣ୍ଡି ଜିଲ୍ଲାରେ ଥିବା ୧୭ ଗୋଟି ସିଏଚସି ମଧ୍ୟରୁ ଗୋଟିଏ ସିଏଚସିକୁ ଛାଡ଼ିଦେଲେ ଅନ୍ୟ ସିଏଚସିଗୁଡ଼ିକରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନାହାନ୍ତି। ସେହିପରି ଶିଶୁ ରୋଗ ବିଶେଷଜ୍ଞ ବି ଅଧିକାଂଶ ସିଏଚସିରେ ନାହାନ୍ତି। ଫଳରେ ସିଏଚସି ଅଂଚଳଗୁଡ଼ିକରେ ଗର୍ଭବତୀ ସ୍ତ୍ରୀ ଓ ଶିଶୁମାନଙ୍କର ଚିକିତ୍ସା ବ୍ୟବସ୍ଥା ଆହୁରି ଉଦବେଗଜନକ। ଫଳରେ ଏହି ଦୁଇ ବିଭାଗର ରୋଗୀମାନେ ବିଶାଖାପାଟଣା, ବିଷମକଟକର ବେସରକାରୀ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି ଏବଂ ଦଲାଲମାନଙ୍କ ଦ୍ୱାରା ଲୁଟର ଶିକାର ହେଉଛନ୍ତି। ଜିଲ୍ଲାରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମି ତିଆରି କରିଛନ୍ତି। ହେଲେ ବିଶେଷଜ୍ଞ ନଥିବାରୁ ସେସବୁ ଭୂତକୋଠି ପାଲଟିବାକୁ ଯାଉଛି। ଏହି ଜିଲ୍ଲାରେ ୧୭ ଗୋଟି ସିଏଚସି, ଗୋଟିଏ ଜିଲ୍ଲା ସଦର ହସପିଟାଲ ଓ ଗୋଟିଏ ସବଡିଭିଜନାଲ ହସପିଟାଲ ରହିଛି। ଏଥିପାଇଁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ପାଇଁ ୨୩ ଜଣ ଡାକ୍ତର ଆବଶ୍ୟକ। କିନ୍ତୁ ଜିଲ୍ଲାରେ ସର୍ବମୋଟ ୭ ଜଣ ବିଶେଷଜ୍ଞ ରହିଛନ୍ତି। ନିୟମ ଅନୁସାରେ ପ୍ରତି ସିଏଚସିରେ ଜଣେ ବିଶେଷଜ୍ଞ ରହିବା କଥା। ହେଲେ ଅଧିକାଂଶ ସିଏଚସିରେ ଏହି ବିଶେଷଜ୍ଞ ଡାକ୍ତର ନାହାନ୍ତି। ଜିଲ୍ଲା ସଦର ହସପିଟାଲରେ ୫ ଜଣ ଡାକ୍ତର ଏହି ବିଭାଗର ଆବଶ୍ୟକତା ଥିବା ବେଳେ ମାତ୍ର ୩ ଜଣ ରହିଛନ୍ତି। ଧର୍ମଗଡ଼ରେ ଦୁଇ ଜଣ, ଜୁନାଗଡ଼ରେ ଜଣେ ଏବଂ ପାଷ୍ଟିକୁଡ଼ି ସିଏଚସିରେ ଜଣେ ଥିବା ବେଳେ ପାଷ୍ଟିକୁଡ଼ି ସିଏଚସିର ବିଶେଷଜ୍ଞଙ୍କୁ ସବୁବେଳେ ଜିଲ୍ଲା ସଦର ହସପିଟାଲକୁ ନିଆଯାଉଛି। ଫଳରେ ବ୍ଲକ ସଦରଗୁଡ଼ିକରେ ଥିବା ସିଏଚସିର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରକୃତରେ ଏମବିବିଏସ ଡାକ୍ତରମାନେ ହିଁ ଅଧିକାଂଶ ହସପିଟାଲ ଚଳାଉଛନ୍ତି। ଅଧାରୁ ଅଧିକ ଏହି ବିଶେଷଜ୍ଞ ପଦ ଖାଲି ଥିବାରୁ ସମସ୍ତେ ଜିଲ୍ଲା ସଦର ହସପିଟାଲ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ସେଠି ବି ଆବଶ୍ୟକ ଡାକ୍ତର ନାହାନ୍ତି। ସାମାନ୍ୟ ଜଟିଳ ପରିସ୍ଥିତି ଉଠିଲେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ପ୍ରସବ ମାଗଣାରେ କରିବା ପାଇଁ ସମସ୍ତ ଯୋଜନା ରହିଥିଲେ ସୁଦ୍ଧା ସରକାରୀ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଛୁଆଟିଏ ଜନ୍ମ କରିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ସେହିଭଳି ଜିଲ୍ଲାରେ ୧୮ଜଣ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆବଶ୍ୟକ ଅଛି। ହେଲେ ମାତ୍ର ୬ ଜଣ ବିଶେଷଜ୍ଞ ଡାକ୍ତର ରହିଛନ୍ତି। ଚପ୍ରିଆ, ଜୁନାଗଡ଼ ଓ କେସିଙ୍ଗା ସିଏଚସିରେ ଜଣେ ଲେଖାଏଁ ବିଶେଷଜ୍ଞ ଥିବା ବେଳେ ଧର୍ମଗଡ଼ ସବଡିଭିଜନ ହସପିଟାଲରେ ଜଣେ ଓ ଭବାନୀପାଟଣା ହେଡକ୍ୱାଟର ହସପିଟାଲରେ ମାତ୍ର ଦୁଇ ଜଣ ଡାକ୍ତର ରହିଛନ୍ତି। ବିଗତ ଦିନରେ ଏହି ହସପିଟାଲକୁ ମାନବାଧିକାର କମିସନର ସଦସ୍ୟ ପରିଦର୍ଶନ କରି ଡାକ୍ତର ଅଭାବ ସାଙ୍ଗକୁ ଭିତ୍ତିଭୂମିର ଅଭାବ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ବିଭାଗକୁ ରିପୋର୍ଟ ତଲବ ମଧ୍ୟ ହୋଇଥିଲା। କିନ୍ତୁ ବର୍ଷ ପରେ ବର୍ଷ ବିତି ଯାଉଥିଲେ ମଧ୍ୟ ଏହି ଦୁଇ ବିଭାଗର ସୁଧାର ହେଉ ନାହିଁ। ସରକାର ଭବାନୀପାଟଣାରେ ମେଡିକାଲ କଲେଜ ହେଲେ ଆଉ ଡାକ୍ତର ସମସ୍ୟା ରହିବ ନାହିଁ ବୋଲି କହୁଥିବା ବେଳେ ଏହି ମେଡିକାଲ କଲେଜ ଏଯାଏଁ ଆରମ୍ଭ ହୋଇ ନାହିଁ। ତେଣୁ ବିଶେଷଜ୍ଞ ଡାକ୍ତର ପଦ ତୁରନ୍ତ ପୂରଣ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର