କରଚଲା ହାତୀନଦୀ ପୋଲ ଅଧୁରା : ୩ ଥର ଟେଣ୍ଡର ପରେ ବି ସରୁନି କାମ

ଭବାନୀପାଟଣା : ଟେଣ୍ଡର ପରେ ଟେଣ୍ଡରର ଫାଇଲ ଚାଷ ଭିତରେ ହଜିଯାଉଛି କରଚଲା ପୋଲର ଭବିଷ୍ୟତ। ୧୯ ବର୍ଷ ପରେ ବି କରଚଲା ହାତୀନଦୀ ପୋଲ ନିର୍ମାଣ ଶେଷ ହେବାର ନାଁ ଧରୁ ନାହିଁ। ଫଳରେ ସାଧାରଣରେ ଏନେଇ ଉଦ୍‌ବେଗ ପ୍ରକାଶ ପାଇବା ସହିତ ଏହାର ନିର୍ମାଣ ପାଇଁ ତୁରନ୍ତ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

୧୯୯୯ ମସିହାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଚିଲକପୁର ଠାରେ ଥିବା ହାତୀନଦୀ ଉପରେ କରଚଲା ପୋଲ ନିର୍ମାଣ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଶିଳାନ୍ୟାସ କରିଥିଲେ। ଏହାପରେ ପରେ ଏହି ପୋଲକାମ ଧିମେଇ ଯାଇଥିଲା। ୨୦୦୧ ମସିହାରେ ଏହି ପୋଲ ପାଇଁ ୩ କୋଟି ୮୩ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ଅଟକଳ ନିର୍ଦ୍ଧାରଣ କରାଯାଇଥିଲା। ପରେ, ଏହାର ପରିମାଣ ୪କୋଟି ୩୨ଲକ୍ଷ ୪୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଠିକାଦାର ରାଜେଶ୍ୱର ଠାକୁର ଟେଣ୍ଡର ନେବା ସହିତ କାମ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ୨୦୦୨ ନଭେମ୍ବର ୨୨ ତାରିଖରେ ଏହି କାମ ସରିବା କଥା। ମାତ୍ର ଏଷ୍ଟିମେଟ କମ ଥିବା ଯୋଗୁଁ ଠିକାଦାର କାମ ନକରିବାରୁ ଚୁକ୍ତିନାମା ବାତିଲ କରାଯାଇଥିଲା। ପୁଣି ଥରେ କରଚଲା ବ୍ରିଜ ଓ ୧୨ କିଲୋମିଟର ରାସ୍ତା ପାଇଁ ୫କୋଟି ୫୮ ଲକ୍ଷ ଟଙ୍କାର ଏଷ୍ଟିମେଟ ପଠାଯିବାରୁ ମୁଖ୍ୟଯନ୍ତ୍ରୀ ୪କୋଟି ୬୦ ଲକ୍ଷ ୫୫ ହଜାର ୭୮୨ ଟଙ୍କା ଏଷ୍ଟିମେଟ ମଞ୍ଜୁର କରିଥିଲେ। ଏଥିପାଇଁ ପୁଣି ଟେଣ୍ଡର ହେବାରୁ କଟକର ରାଜଲକ୍ଷ୍ମୀ କନଷ୍ଟ୍ରକସନ ଲିମିଟେଡ ୨୦୦୫ରେ ୨୨.୮୩ ବିଡରେ ନେଇଥିଲେ। କିନ୍ତୁ ଠିକା ସଂସ୍ଥା କାମରେ ଅଗ୍ରଗତି ନ କରିବାରୁ କମ୍ପାନିର ଟେଣ୍ଡର ବାତିଲ କରି ପୁଣି ଟେଣ୍ଡର ଆହ୍ଵାନ କରାଯାଇଥିଲା। ଇତିମଧ୍ୟରେ ପ୍ରଥମ ଠିକାଦାର ରାଜେଶ୍ୱର ଠାକୁର ରାଜ୍ୟ ସରକାରଙ୍କ ବିରୋଧରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏଥର ଏଷ୍ଟିମେଟ ୬କୋଟି ୭୭ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ୨୦୦୮ ମସିହାରେ ପୁଣିଥରେ ଟେଣ୍ଡର ଆହ୍ଵାନ କରାଯାଇଥିଲା। ଏଥିରେ ଠିକାଦାର ବିଜନ ପରିଡା ୧୦କୋଟି ୭୫ ଲକ୍ଷ ଟଙ୍କାର ଏଷ୍ଟିମେଟ ଶତକଡା ୯ ପ୍ରତିଶତ ଅଧିକ ମୂଲ୍ୟରେ ଠିକା ନେଇଥିଲେ। ୬ଟି ଖମ୍ବ ଓ ୧୨ କିଲୋମିଟର ରାସ୍ତା ପାଇଁ ଏହି ମୂଲ୍ୟରେ କାର୍ଯ୍ୟ ଆରମ୍ଭ ହୋଇ ୨୦୧୨ ଫେବ୍ରୁଆରିରେ ଏହି କାମ ଶେଷ ହେବାର ଧାର୍ଯ୍ୟ ହୋଇଥିଲା। କିନ୍ତୁ ଠିକାଦାର ୨ଟି ଖମ୍ବର କାମ ସାରି କାମକୁ ଛାଡି ଦେଇଥିଲେ । ବର୍ତ୍ତମାନ ପୁଣିଥରେ ଏହି ଅର୍ଥ ବଢି ଏଷ୍ଟିମେଟ କରାଯାଇ ଟେଣ୍ଟର ଆହ୍ଵାନ କରାଯାଇଥିଲା।

ଏଥିରେ ଜୟପାଟଣାର ଠିକାଦର ସୁବାସ ମୁଣ୍ଡ ପ୍ରାୟ ୧୧କୋଟିରୁ ଅଧିକ ବ୍ୟୟ ଅଟକଳରେ ଟେଣ୍ଡର ପାଇ କାମ କରୁଛନ୍ତି। ବର୍ତ୍ତମାନ ୨ଟି ଖମ୍ବ କାମ ଚାଲିଛି ଓ ୪ଟି ଖମ୍ବର କାମ ସରିଯାଇଛି। ମନ୍ଥର ଗତିରେ ପୋଲକାମ ଯୋଗୁଁ ଲୋକଙ୍କ ଆଶା ମଉଳିବାରେ ଲାଗିଛି ।

ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅଜିତ କୁମାର ବାବୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବର୍ତ୍ତମାନ ପ୍ରାୟ ୧୧କୋଟିରୁ ଅଧିକ ଟଙ୍କାର ନୂଆ ଟେଣ୍ଡର ହୋଇ କାମ ଚାଲିଛି। ଆହୁରି ୨ଟି ସ୍ପାନ କାର୍ଯ୍ୟ ବାକି ଅଛି। ଗ୍ରାଉଣ୍ଡ ରିପୋର୍ଟ ଠିକ ନଥିବା ଯୋଗୁଁ ବଟମପିଓ୍ଵାନ ଠିକ ରହୁ ନଥିବା ଯୋଗୁଁ ଏହି ଦୁଇଟି ସ୍ପାନର ଗ୍ରାଉଣ୍ଡରେ ଭୁଶୁଡି ଯାଉଛି। ଏନେଇ ହାଇଦ୍ରାବାଦରୁ ସିଙ୍କର ଅଣାଯାଇ ପରୀକ୍ଷା କରାଯାଉଛି। ଜୁନ ମାସରେ ଏହାର ବ୍ଲଗିଂ କରା ଗଲେ କାମରେ ଅଗ୍ରଗତି ହେବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର