ସ୍ତ୍ରୀଙ୍କୁ ପୋଡ଼ି ମାରିଦେଲା ସ୍ୱାମୀ

ଲାଞ୍ଜିଗଡ଼ : ନିଜ ସ୍ତ୍ରୀଙ୍କୁ କିରୋସିନ ଢାଳି ସ୍ୱାମୀ ପୋଡ଼ି ଦେଇଥିବା ଘଟଣା ଲାଞ୍ଜିଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ଝିଅଘର ଲୋକେ ଲାଞ୍ଜିଗଡ଼ ଥାନାରେ ଏତଲା ଦେଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୦୮ମସିହାରେ ସୁବର୍ଣ୍ଣପୁର ଜିଲ୍ଲା ଜରାଜାରିଙ୍ଗ୍‌ ଗାଁର ବ୍ରଜଲାଲ ଦେଓଙ୍କ ଝିଅ ରିନା ସିଂହ(୩୫)ଙ୍କୁ ଲାଞ୍ଜିଗଡ଼ର ମନୋହର ସିଂହଙ୍କ ପୁଅ ଚକ୍ରଧର ସିଂହ (ରାଜେଶ ସିଂ) ରୀତିନୀତି ଅନୁସାରେ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ପୁଅ ଓ ଦୁଇ ଝିଅ ମଧ୍ୟ ଜନ୍ମ ହୋଇଛନ୍ତି। ହେଲେ ବିବାହର ପାଞ୍ଚ ବର୍ଷ ପରେ ପ୍ରତିଦିନ ସ୍ୱାମୀ ମଦପିଇ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ବାପଘରୁ ଟଙ୍କା ଆଣିବା ପାଇଁ ଶ୍ୱଶୁର ଘର ଲୋକେ ରିନାଙ୍କୁ ବାଧ୍ୟ କରୁଥିଲେ।

ଗତ ୮ତାରିଖ ଦିନ ସନ୍ଧ୍ୟାରେ ରିନା କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ପ୍ରଚାର ହୋଇଥିଲା। ପରେ ପାଖ ପଡ଼ୋଶୀ ଲାକେ ଗୁରୁତର ରିନାଙ୍କୁ ବେଦାନ୍ତ ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ପଠାଇଥିଲେ। ସେଠାରୁ ତାଙ୍କୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ରିନାଙ୍କ ମୃତ୍ୟୁ ହୋଇଥିଲା। ରିନାଙ୍କ ଶ୍ୱଶୁର ଘର ଲୋକେ କିରୋସିନ ଷ୍ଟୋଭ୍‌ ଟାଙ୍କି ଫାଟି ରିନାଙ୍କ ମୃତ୍ୟୁ ହୋଇଛି ବୋଲି ଲାଞ୍ଜିଗଡ଼ ଥାନାରେ ଲିଖିତ ଭାବେ ଜଣାଇଛନ୍ତି।

ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ରାଜେଶ ତାଙ୍କ ଶ୍ୱଶୁର ଘରକୁ ଫୋନ ମଧ୍ୟ କରି ନଥିବା ବ୍ରଜଲାଲ ଅଭିଯୋଗ କରିଛନ୍ତି। ରିନାଙ୍କୁ ପୋଡ଼ି ମାରିଦେବା ପରେ ଷ୍ଟୋଭ ଫାଟିବା ବାହାନା କରୁଛନ୍ତି ବୋଲି ବ୍ରଜଲାଲ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ତଦନ୍ତକାରୀ ଅଧିକାରୀ ବିପିନ କୁଲଦୀପ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର