ପୁଅ ଜନ୍ମ ନହେବାରୁ ସ୍ତ୍ରୀକୁ ହତ୍ୟା
କେସିଙ୍ଗା : ପୁଅ ଜନ୍ମ ନଦେବାରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ତା’ପୁଣି ବିବାହର ୧୭ ବର୍ଷ ପରେ ଯେଉଁଦିନ ଦ୍ୱିତୀୟ ବିବାହ କରିଥିଲା, ସେଇ ଦିନ ହିଁ ପ୍ରଥମ ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମରେ। ଘଟଣାର ପ୍ରାୟ ଦେଢ଼ ମାସ ପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟା ଅଭିଯୁକ୍ତ ସ୍ୱାମୀ ସମେତ ୬ ଜଣକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଦେଓଗାଁ ର ଉଚ୍ଛବ ଲୁହାର ୧୭ ବର୍ଷ ତଳେ ସୁକେଶୀଙ୍କୁ ବିବାହ କରିଥିଲା। ତାଙ୍କର ୧୫ ବର୍ଷ ବୟସର ଗୋଟିଏ ଝିଅ ଅଛି। ତେବେ, ପୁଅ ନଥିବାରୁ ବଂଶରକ୍ଷା ନେଇ ଉଚ୍ଛବ ସବୁବେଳେ ଚିନ୍ତିତ ରହୁଥିଲା। ଶେଷରେ ଗତ ଜୁନ ୧୬ ତାରିଖ ଦ୍ୱିତୀୟ ବିବାହ କରି ତାରିଣୀଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ। ବିବାହ ଉତ୍ସବରେ ସମସ୍ତେ ବ୍ୟସ୍ତ ଥିବାବେଳେ ସୁକେଶୀ କୁଆଡ଼େ ଚାଲିଯାଛି ବୋଲି କହିଥିଲେ। ଗାଁ ଲୋକେ ସୁକେଶୀଙ୍କ ମା’ ରୋଚେ ପରାଭୋଇଙ୍କୁ ଖବର ଦେଇଥିଲେ। ଭବାନୀପାଟଣା ସଦର ଥାନା ଗୋଇପିଟା ଗ୍ରାମରେ ରହୁଥିବା ସୁକେଶୀଙ୍କ ମା’ରୋଚେ ପ୍ରଥମେ ଏନେଇ ଉତ୍କେଲା ଫାଣ୍ଡିରେ ଅଭିଯୋଗ କରିଥିଲେ। ପରେ ସୁକେଶୀଙ୍କ ମା’ ମହିଳା ସଂଗଠନର କେତେକ କର୍ମକର୍ତ୍ତାଙ୍କ ସହ କେସିଙ୍ଗା ଥାନାକୁ ଆସି ଅଭିଯୋଗ କରିଥିଲେ। କେସିଙ୍ଗା ପୁଲିସର ତଦନ୍ତ ବେଳେ ସୁକେଶୀଙ୍କୁ ହତ୍ୟା କରାଯାଇଥିବା ଏବଂ ରେତ ନଦୀପଠାରେ ଶବ ପୋତା ଯାଇଥିବା ଜଣାପଡ଼ିଥିଲା। ଶନିବାର ସକାଳେ ପୁଲିସ ନଦୀପଠାରେ ବାଲି ତଳୁ ସୁକେଶୀଙ୍କ କଙ୍କାଳ ଉଦ୍ଧାର କରିଥିଲେ।