କୁମ୍ବଖାଲ ସରପଞ୍ଚଙ୍କ ସ୍ୱାମୀଙ୍କୁ ମାଡ଼ ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି, ବିଶ୍ୱନାଥପୁର ଥାନା ଘେରିଲା ଆଦିବାସୀ ସଂଘ

ଲାଞ୍ଜିଗଡ଼,: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ କୁମ୍ବଖାଲ ସରପଞ୍ଚ ସରିତା ମାଝୀଙ୍କ ସ୍ୱାମୀ ମୁଲୁ ମାଝୀଙ୍କୁ ମାଡ଼ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏହାର ପ୍ରତିବାଦରେ ସୋମବାର ଆଦିବାସୀ ସଂଘ ବିଶ୍ୱନାଥପୁର ଥାନା ଘେରାଉ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଧମକ ଦିଆଯାଇଛି।
ପ୍ରକାଶ ଯେ କିଛିଦିନ ତଳେ ନୂଆ ପଞ୍ଚାୟତ ଘର ନିର୍ବାଣ ପାଇଁ ଜାଗା ଚିହ୍ନଟ କରିବାକୁ ବିଡିଓ ପୀତାମ୍ବର ଭୋଇ, ଏବିଡିଓ ବିଭୂତି ଭୂଷଣ ଶତପଥୀ, ଆର୍‌ଆଇ, ଅମିନମାନେ କୁମ୍ବଖାଲ ଗାଁକୁ ଯାଇଥିଲେ। ସେହି ଗାଁରେ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଜାଗା ନଥିବାରୁ ପଞ୍ଚାୟତ ଗୃହ ନିର୍ମାଣ ହେବା ଅସମ୍ଭବ ବୋଲି କହିଥିଲେ। ଏହା ଜାଣିବା ପରେ କୁମ୍ବଖାଲ ଗାଁ ଲୋକେ ‘ଆମ ଗାଁ ପଞ୍ଚାୟତ ଅଫିସ୍‌ ଘର ଆମ ଗାଁରେ ହିଁ ହେଉ’ ବୋଲି ଦାବି କରି ବିଡିଓଙ୍କୁ ଘେରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେଉଥିବା ଦେଖି ବିଡିଓ ସେହି ସ୍ଥାନ ଛାଡ଼ି ଚାଲି ଆସିଥିଲେ। ହେଲେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ କୁମ୍ବଖାଲ ସରପଞ୍ଚଙ୍କ ସ୍ୱାମୀ ଶ୍ରୀ ମାଝୀ। କୁମ୍ବଖାଲରେ ପଞ୍ଚାୟତ ଅଫିସ ନହେବାକୁ ନେଇ ଶ୍ରୀ ମାଝୀଙ୍କ ହାତ ଥିବା ଅଭିଯୋଗ କରି ତାଙ୍କୁ ଗ୍ରାମବାସୀ ମାଡ଼ ମାରିଥିଲେ। ଏନେଇ ସରପଞ୍ଚ ଶ୍ରୀମତୀ ମାଝୀ ବିଶ୍ୱନାଥପୁର ଥାନାରେ ଏତଲା ଦେଇଥିଲେ। ଏହି ମାମଲାରେ ପୁଲିସ ତଦନ୍ତରେ ଅବହେଳା କରୁଛି ବୋଲି ଅଭିଯୋଗ କରି ସୋମବାର ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ବିଶ୍ୱନାଥପୁର ଥାନା ଘେରାଉ କରାଯାଇଥିଲା। ତୁରନ୍ତ ଦୋଷୀମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିବାକୁ ଦାବି କରିଥିଲେ। ପରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଲାଞ୍ଜିଗଡ଼ ବ୍ଲକ ଅଫିସ ପରିସରକୁ ଧସେଇ ପଶିଥିଲେ। ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ଭୂସଂସ୍କାର ଆଇନ କାର୍ଯ୍ୟକାରୀ କରିବା, ଅଞ୍ଚଳରେ ଥିବା ମଦଭାଟିଗୁଡ଼ିକୁକ ବନ୍ଦ କରିବା, ପଞ୍ଚାୟତିରାଜର ୨୯ଟି ନିୟମକୁ କାର୍ଯ୍ୟକ୍ଷମ କରିବା, ଅଞ୍ଚଳର ବେକାର ଯୁବକ, ଯୁବତୀଙ୍କୁ ବେଦାନ୍ତ କାରଖାନାରେ ନିଯୁକ୍ତି ଦିଆଯିବା ଆଦି ରହିଥିଲା। ଏହି ଆନ୍ଦୋଳନରେ ଜିଲ୍ଲା ଆଦିବାସୀ ସଂଘ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧରି ବିଶ୍ୱନାଥପୁରରେ ଏକ ଶୋଭାଯାତ୍ରରେ ବାହାରି ବ୍ଲକ ଏବଂ ଥାନା ସମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ବନ୍ଧପାରୀ ସରପଞ୍ଚ ଫୁଲମେ ମାଝୀଙ୍କ ତତ୍ତ୍ୱାବଧାନରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ୱରେ ବିଡିଓ ପୀତାମ୍ବର ଭୋଇ ଥାନାକୁ ଯାଇ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲେ। ୭ଦିନ ଭିତରେ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ସଂଘ ପୁଣି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଧମକ ଦେଇଛି।

ସମ୍ବନ୍ଧିତ ଖବର