ସାଂସଦଙ୍କ ଆଦର୍ଶ ପଞ୍ଚାୟତ:ଲୋକେ ଦେଖିନାହାନ୍ତି ନଳକୂଅ

0 77

ଥୁଆମୂଳ ରାମପୁର: କଳହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତର କାଞ୍ଜିଗୁଡ଼ା ସ୍ୱାଧୀନତାର ବହୁ ବର୍ଷ ପରେ ମଧ୍ୟ ଚିତ୍ର ବଦଳି ହୋଇପାରି ନାହିଁ। ରାସ୍ତା ନଥିବାରୁ କୌଣସି ନଳକୂଅ ଖନନ ପାଇଁ ଗାଡ଼ି ବି ଯାଇ ପାରେ ନାହିଁ। ପରେ ମଧ୍ୟ ଏହି ଗ୍ରାମବାସୀ ନଳକୂଅ ଦେଖିନାହାନ୍ତି। ଫଳରେ ଗ୍ରାମବାସୀଙ୍କ ପାଇଁ ଝରଣା ପାଣି ହିଁ ଲାଇଫ ଲାଇନ ସାଜିଛି। କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ସିନ୍ଧିପଦର ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ବାଛିଥିଲେ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତର କାଞ୍ଜିଗୁଡ଼ା ଗାଁରେ ୨୨୩ ବିଶିଷ୍ଠ ଜନସଂଖ୍ୟାରେ କୁଟିଆ କନ୍ଧ ସମ୍ପ୍ରଦାୟର ୫୦ଟି ପରିବାର, ୩ଟି ଦଳିତ ପରିବାର ଓ ୨ଟି ଲୋହରା ପରିବାର ବାସ କରିଥାନ୍ତି। ଏହି ଗାଁର ବଡ ସମସ୍ୟା ହେଲା ରାସ୍ତା ଓ ପାଣି। ରାସ୍ତା ଅଭାବରୁ କୌଣସି ନଳକୂଅ ଖନନ ଗାଡ଼ି ଆସି ପାରୁ ନାହିଁ।

ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଭାବେ ମାନ୍ୟତା ପାଇଥିବା ସିନ୍ଧିପଦର ଉତ୍ତରପୂର୍ବ ଦିଗରେ ପ୍ରାୟ ୩ କିଲୋମିଟର ଦୂର ବନମାଳି ଓ ସର୍ଗିପଡାମାଳି ପାହାଡର ମଧ୍ୟବର୍ତ୍ତି ଅଞ୍ଚଳରେ ରହିଛି ଏହି ଗାଁ। ଲୋକେ ସିନ୍ଧିପଦରଠାରୁ କେବଳ ଜଙ୍ଗଲି ପାଦଚଲା ରାସ୍ତା ଦେଇ ଯାତାୟାତ କରିଥାନ୍ତି। ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଲୋକେ ଝରଣାପାଣି ଉପରେ ନିର୍ଭର କରିଥାନ୍ତି। ଏହି ପାଣି ପିଇ ଲୋକେ ଝାଡ଼ାବାନ୍ତି ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଖରା ବଢ଼ିବା ସାଙ୍ଗକୁ ଅନେକ ନାଳ ଓ ଝରଣା ମଧ୍ୟ ସୁଖିବାରେ ଲାଗିଲାଣି। ବର୍ତ୍ତମାନ ଲୋକେ ଝରଣା ନିକଟ ନିଜ ଜମିରେ ଗାତ ଖୋଳି ସେହିପାଣିକୁ ପିଇବା, ରୋଷେଇ କରିବା ଓ ଗାଧୋଇବା ଠାରୁ ଆରମ୍ଭ କରି ସମସ୍ତ କାମରେ ବ୍ୟବହାର କରିଥାନ୍ତି। ଏହି ଗାଁକୁ ନିର୍ବାଚନ ସମୟରେ ଅନେକ ରାଜନେତା, ମନ୍ତ୍ରୀ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧି ତୁରନ୍ତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି। ହେଲେ ଗାଁରୁ ବାହାରି ଯିବାପରେ ପ୍ରତିଶ୍ରୁତିକୁ ଭୁଲିଯାଉଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ବର୍ତ୍ତମାନ ସାଂସଦ ଭାବେ ଆଉ ବର୍ଷେ ସମୟ ଥିବା ବେଳେ କେବେ ଏହି ଅଞ୍ଚଳର ଲୋକେ ଆଦର୍ଶ ଗ୍ରାମର ସୁଫଳ ପାଇପାରିବେ ସେନେଇ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି କରିଛି।
ରିପୋର୍ଟ: ଭାନୁ ପ୍ରତାପ ମୁଣ୍ଡ

ସମ୍ବନ୍ଧିତ ଖବର

Leave A Reply

Your email address will not be published.