ଥୁଆମୂଳ ରାମପୁରରେ କାଳ ବୈଶାଖୀ ତାଣ୍ଡବ:ବାସ ହରାଇଲେ ୩୨ ପରିବାର

ଭବାନୀପାଟଣା/ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶନିବାରର କାଳବୈଶାଖୀର ମହାତାଣ୍ଡବରେ ୨୮ ପରିବାର ବାସହରା ହୋଇଛନ୍ତି। ଥୁଆମୂଳ ରାମପୁର ବ୍ଲକର କେରପାଇ ପଞ୍ଚାୟତର କାଚେଲେଖା ଗାଁର ସୁରେନ୍ଦ୍ର ନାଏକ, ସୁଦେରାମ ନାଏକ, ସଦାନନ୍ଦ ନାଏକ, ରାମେଶ୍ୱର ନାଏକ, ନର୍ଶମ ନାଏକ, ଗଦାଧର ନାଏକ ସମେତ ୧୦ ଜଣଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ସେହିଭଳି ନୀଲ ମାଝୀ, ମଳୟ ମାଝୀ, ଆନ୍ଧାର ମାଝୀ ସମେତ ୧୭ ଜଣଙ୍କ ଘର ମଧ୍ୟ ନଷ୍ଟ ହୋଇଯାଇଛି। ଏହି ପଞ୍ଚୟାତର ପୋଡାପାଇର ଗାଁର ୪ଟି ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି। ଖବର ପାଇ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ହୋଥିବା ପରିବାରଙ୍କୁ ଚାଉଳ, ଗୁଡ଼, ଚିନି, ଚୁଡ଼ା ଓ ରହିବା ପାଇଁ ତାରପୋଲିର ବ୍ୟବସ୍ଥା କରାଯାଇଛି। କାଳବୈଶାଖୀ ବନ୍ଦ ହେବା ପରେ କେରପାଇ ସରପଞ୍ଚ ବାଲସିଂ ମାଝୀ, ସମିତିସଭ୍ୟ ସନ୍ତୋଷ ନାଏକ ପ୍ରମୁଖ କ୍ଷତିଗ୍ରସ୍ତ ପରିବାରଙ୍କୁ ଶନିବାର ଚାଉଳ ବଣ୍ଟନ କରିଥିଲେ। ରବିବାର ସକାଳୁ ବ୍ଲକ ଯୋଗାଣ ଅଧିକାରୀ ମିଥୁନ ବେହେରା, ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଡବ୍ଲୁଓଡିସି ସଦସ୍ୟ ମାଣିକ୍ୟଚନ୍ଦ୍ର ନାଏକ ପ୍ରମୁଖ କ୍ଷତିଗ୍ରସ୍ତଙ୍କୁ ଚୁଡ଼ା, ଗୁଡ଼ ଓ ବିସ୍କୁଟ ବଣ୍ଟନ କରିଥିଲେ। ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ ଓ ବିଡିଓ ବ୍ୟାସଦେବ ବେହେରାଙ୍କ ନିର୍ଦେଶରେ ଆରଆଇଙ୍କ ଜରିଆରେ କ୍ଷତିଗ୍ରସ୍ତ ପରିବାରଙ୍କୁ ତାରପୋଲିନ ବଣ୍ଟନ କରାଯାଇଥିଲା।

ସମ୍ବନ୍ଧିତ ଖବର