କଳାହାଣ୍ଡି ଜିଲ୍ଲା ପରିଷଦ ବୈଠକ:୨୯ ପାନୀୟ ଜଳ ପ୍ରକଳ୍ପରୁ ୧୨ ଅସମ୍ପୂର୍ଣ୍ଣ

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାକକ୍ଷରେ କଳାହାଣ୍ଡି ଜିଲ୍ଲା ପରିଷଦର ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ଭବାନୀପାଟଣା ବିଧାୟକ ଅନାମ ନାଏକ, ନର୍ଲା ବିଧାୟକ ଧନେଶ୍ୱର ମାଝୀ, କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ ମାଣିକ, ପିଡି ଡିଆର୍‌ଡିଏ ପ୍ରସନ୍ନ ଷଡ଼ଙ୍ଗୀ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଚଳିତ ବର୍ଷ ହାତକୁ ନିଆଯାଇଥିବା ୨୯ଟି ଜଳ ପ୍ରକଳ୍ପରୁ ୧୭ଟି ମଇ ମାସରେ ଶେଷ ହୋଇଥିବା ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ପ୍ରକାଶ କରିଥିଲେ। ସେହିଭଳି ଯେଉଁ ଗ୍ରାମ ମାନଙ୍କରେ ନଳକୂପ ଖନନ ହୋଇପାରୁ ନାହିଁ ସେହି ଗ୍ରାମ ମାନଙ୍କରେ ପରିମଳ ଯୋଜନାରେ ନିର୍ମାଣ କରାଯାଇ ଲୋକଙ୍କୁ ଜଳକଷ୍ଟରୁ ରକ୍ଷା କରାଯିବ। ମତ୍ସ୍ୟ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ୧୭୦.୩୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ବେଳେ ୧୬୪.୩୭୫ ଲକ୍ଷ ଖର୍ଚ୍ଚ ହୋଇଥିବା ସୂଚନା ଦିଆଯାଇଥିଲା। କୃଷି ବିଭାଗ ପକ୍ଷରୁ ୨୦୧୭-୧୮ରେ ରବି ଚାଷ ପାଇଁ ୨୫୯୩୭୭ ହେକ୍ଟର ଜମି ଚାଷ ଲକ୍ଷ ଧାର୍ଯ୍ୟ କରଯାଇଥିବା ବେଳେ ୫୭୭୦ ହେକ୍ଟର ଜମି ଚାଷ କରାଯାଇଥିବା ତଥ୍ୟ ପ୍ରଦାନ କରାଯାଇଥିଲା। ଚଳିତବର୍ଷ ମୁଗ, ବିରି, ବାଦାମ ଆଦିର ଉତ୍ପାଦନ ଗତବର୍ଷ ଠାରୁ ଅଧିକ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା ।

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜିଲ୍ଲାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ ହୋଇଥିବା ଯୋଗୁଁ ଶିଶୁ ତଥା ମାତୃ ମୃତ୍ୟୁହାର କମିଥିବା ସୂଚନା ଦେଇଥିଲେ। ଯାନବାହାନର ସୁବିଧା ନଥିବା ଗ୍ରାମ ଗୁଡିକରେ ରୋଗୀଙ୍କୁ ଅନ୍ୟଗ୍ରାମ ପାଖରୁ ଆସିବା ପାଇଁ ୩୦୩ଟି ଷ୍ଟ୍ରେଚର କ୍ରୟ କରାଯାଇ ଗ୍ରାମ୍ୟ କଲ୍ୟାଣ ସମିତି ମାଧ୍ୟମରେ ବିତରଣ କରାଯାଇଛି। ଆଉ ୩୨୩ଟି ଷ୍ଟ୍ରେଚର ଯୋଗାଯୋଗ ନଥିବା ଚିହ୍ନଟ ହୋଇଥିବା ଗ୍ରାମ ଗୁଡିକୁ ଶିଘ୍ର ପ୍ରଦାନ କରାଯିବ। ଜିଲ୍ଲାପାଳ ଶ୍ରୀ ମାଣିକଙ୍କ ଶିକ୍ଷା ବିଭାଗ ପକ୍ଷରୁ ନୂତନକରି ଆରମ୍ଭ ହୋଇଥିବା ମୋ ସ୍କୁଲ ଯୋଜନାରେ କୌଣସି ବିଦ୍ୟାଳୟର ପୁରାତନ ଛାତ୍ର, ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ କୌଣସି ବିଦ୍ୟାଳୟକୁ ଉନ୍ନତି କରଣ ନିମନ୍ତେ କିମ୍ବା ଅର୍ଥ ଦାନ କରନ୍ତି, ତେବେ ସରକାର ଏହାର ଦୁଇଗୁଣ ଅନୁଦାନ ମ୍ୟାଚିଙ୍ଗ ଅନୁଦାନ ସେହି ସ୍କୁଲକୁ ପ୍ରଦାନ କରିବେ। ଏଥି ପାଇଁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ନିର୍ମାଣ ହୋଇଥିବା ପ୍ରକାଶ କରିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆ ମିଶ୍ରଣ ସମ୍ବନ୍ଧରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନେ ଏହାର ତଦାରଖ କରିବା ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିର୍ଦ୍ଦେଶଙ୍କୁ ଦେଇଥିଲେ।

ସମ୍ବନ୍ଧିତ ଖବର