କଳାହାଣ୍ଡି ଜିଲ୍ଲାରେ ବନ୍ୟା ଓ ବର୍ଷା ବିତ୍ପାତ :ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ, ବହୁ ଘର ଧରାଶାୟୀ

ଜୁନାଗଡ଼: ଲଗାଣ ବର୍ଷା ଯୋଗୁଁ ହାତୀ, ତେଲ ଓ ଶଗଡା ନଦୀରେ ବନ୍ୟା ଆସିବାରୁ ଜୁନାଗଡ଼ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହାତୀ ନଦୀରେ ବନ୍ୟା ଆସିବାରୁ ବ୍ଲକର ଚିଙ୍ଗୁଡିସର, ଭଇଁରୀଗୁଡା, ଚିଚୈଗୁଡା, ପଲାସ, ବଣିଜରା ପଞ୍ଚାୟତ ସମେତ ବହୁ ଅଞ୍ଚଳ ପ୍ରଭାବିତ ହୋଇଛି। ସେହିଭଳି ଶଗଡା ନଦୀ ଓ ତେଲ ନଦୀରେ ବନ୍ୟା ଯୋଗୁଁ ନାନ୍ଦୋଲ, କେନ୍ଦୁପାଟି, ତଳମଲା, ଆଟିଗାଁ, ସମେତ ବହୁ ପଞ୍ଚାୟତ ପାଣି ଘେରରେ ରରହିଛି। ଜୁନାଗଡ ବ୍ଳକରେ ୨୦୬୫ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ଓ ୧୭୯ ଘର ଭାଙ୍ଗିଯାଇଥିବା ବେଳେ ୪୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ସେହିଭଳି ଜୁନାଗଡ ଏନଏସିର ୨, ୭,୮ ଓ ୧୨ନଂ ଓ୍ଵାର୍ଡ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ଏନେଇ ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସରଜମିନ ତଦନ୍ତ କରି ସଠିକ ଭାବେ କ୍ଷୟକ୍ଷତି ଆକଳନ କରିବା ପାଇଁ ଆରଆଇ ମାନଙ୍କୁ ନିର୍ଦ୍ଦେଶ ଦେଇଛି।
ଗୋଲାମୁଣ୍ଡା: ଗୋଲାମୁଣ୍ଡା ବ୍ଲକ ବଡଚେରଗାଁ ପଞ୍ଚାୟତ ମେରମହୁଲ ଗ୍ରାମ ପାଖରେ ଥିବା ଏକ ଡ୍ୟାମ ଭାଙ୍ଗି ଗାଁକୁ ପାଣି ପଶି ଯିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବୁଧବାର ଭୋର ସମୟରେ ମେରମହୁଲ ଗ୍ରାମ ପାଖରେ ଥିବା ଜଳ ବିଭାଜିକା ମିସନ ତରଫରୁ ନିର୍ମିତ ଡ୍ୟାମରେ କ୍ଷମତା ଠାରୁ ଅଧିକ ପାଣି ଜମିବାରୁ ତାହା ଭାଙ୍ଗି ଯାଇଥିଲା। ଲୋକେ କିଛି ବୁଝିବା ପୂର୍ବରୁ ଘରେ ପାଣି ପଶି ଯିବାରୁ ଧାନ, ଚାଉଳ, ଟଙ୍କା ତଥା ବିଭିନ୍ନ ଆସବାବପତ୍ର ପାଣିରେ ବୁଡ଼ି ଯାଇଥିଲା। ସ୍ଥାନୀୟ ରାଜସ୍ୱ ବିଭାଗ ଅଧିକାରୀ ସରୋଜ ସାହୁ, ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ମଧ୍ୟ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ପଞ୍ଚାୟତ ତରଫରୁ ବିପନ୍ନଙ୍କୁ ଦୁଇ ଓଳି ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ଗୋଲାମୁଣ୍ଡା ଭାରପ୍ରାପ୍ତ ତହସିଲଦାର ପ୍ରଭାସ ବୋଡେକ କ୍ଷତିୟତି ଆକଳନ କରିବା ସହ ପଲିଥିନ ବଣ୍ଟନ କରିଥିଲେ। ଅନେକ ଚାଷୀଙ୍କ ଜମି ବାଲିଚର ହୋଇଯାଇଛି। ବର୍ତ୍ତମାନ ଡ୍ୟାମଟି ଭାଙ୍ଗି ମୁକୁଳା ପଡିଥିବା ବେଳେ ବର୍ଷା ହେଲେ ଗାଁକୁ ପାଣି ପଶୁ ଥିବାରୁ ତୁରନ୍ତ ମରାମତି କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଅଞ୍ଚଳରେ ୪ ଦିନ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ସ୍ଥାନ ଯୋଗାଯୋଗ ବିଚ୍ଛିନ୍ନ ରହିଥିବା ବେଳେ ୫୦ରୁ ଅଧିକ ଘର ଭାଙ୍ଗିଛି ଓ ଶତାଧିକ ଏକର ଚାଷଜମି ବାଲିଚର ହୋଇଥିବା ଜଣାଯାଇଛି। ମାଳିଯୁବାଙ୍ଗ୍‌ ଓ ପାହାଡପଦର ପଞ୍ଚାୟତର ବୋରପଦର, ପୁଞ୍ଜାମ୍‌, କିରାମ୍‌, କାଞ୍ଚନମୁହିଁ, ମଦନଗୁଡା ଆଦି ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ପ୍ରଧାନୀପଡା ଠାରୁ ମାଳିଯୁବାଙ୍ଗ୍‌ ରାସ୍ତାର ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଲାଞ୍ଜିଗଡରୁ ବିଜେପୁରକୁ ସଂଯୋଗ କରୁଥିବା ରାସ୍ତା କଟି ଯାଇଥିବାରୁ ଯାତାୟତ ଠପ୍‌ ହୋଇଯାଇଛି। ମାଓପ୍ରବଣ ତ୍ରିଲୋଚନପୁର ପଞ୍ଚାୟତରେକୁ ଯୋଗାଯୋଗ ହୋଇପାରୁ ନଥିବାରୁ ପ୍ରଶାସନ ପହଞ୍ଚି ପାରିନାହିଁ। ସାନ୍ଦୁଲ ନଦୀରେ ବନ୍ୟା ଆସିବା ଫଳରେ ଅନେକ ଗାଁ ପାଣି ଘେରରେ ଥିବାବେେଳେ ଗୁଣ୍ଡୁରୀ ପଞ୍ଚାୟତର ଜାମକନା, କାର୍ଲି,କାବାଙ୍ଗହେଜୁ, ହାତୀମୁଣ୍ଡା, ଅଦଲାଡୁ, ଗମପେନୁ ଆଦି ଗାଁରେ ଜ୍ୱରର ଆତଙ୍କ ଦେଖାଦେଇଛି। ଅନ୍ୟପକ୍ଷେ ବନ୍ୟା ପ୍ରଭାବିତ ସମସ୍ତ ଗାଁକୁ ଯିବା ପାଇଁ ଚେଷ୍ଟା କରୁଛୁ ବୋଲି ବିଡିଓ ବାସୁଦେବ ନାଏକ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ବର୍ଷା ଯୋଗୁଁ ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଶିକେରକୁପା ନିକଟରେ ଥିବା ପୋଲର ଆପ୍ରୋଚ ରୋଡ କଟି ଯାଇଛି। ଫଳରେ ଶହଶହ ଗାଡ଼ି ମଟର ଅଟକି ରହିଥିବା ବେଳେ ଯାତ୍ରୀମାନେ ଭୋକ ଉପାସରେ ଦିନ କାଟିଥିଲେ। ଲାଞ୍ଜିଗଡ ବିଧାୟକ ଭଳଭଦ୍ର ମାଝୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରାସ୍ତା ମରାମତି କରିବାକୁ ପିଡବ୍ଲୁଡି ବିଭାଗର ଜେଇ ଓ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଥିଲେ। ତେବେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରାଯିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।
ବୋର୍ଡା: ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭବାନୀପାଟଣା ସଦର ବ୍ଲକ୍‌ର ମିଲ୍‌କି ଅଞ୍ଚଳର ୧୧ଟି ଗ୍ରାମପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ଅଞ୍ଚଳର ବୋର୍ଡା, ଡୁମୁରିଆ, ଗୁର୍ଜୁଙ୍ଗ, ସେଁପୁର, ମାଦିଗୁଡ଼ା, ମାଟିଆ, କେନ୍ଦୁପାଟି, ବୋରଭଟ୍ଟା ପଞ୍ଚାୟତର ବିଭିନ୍ନ ଗ୍ରାମରେ ୩ ଦିନ ଲଗାଣ ବର୍ଷା ଯୋଗୁଁ ଅନେକ ଗରିବ ଲୋକଙ୍କ ଘର ଭାଙ୍ଗି ଯାଇଛି। କ୍ଷୟକ୍ଷତିର ଆକଳନ କରାଯାଇ ବାସହୀନ ପରିବାର ଓ କ୍ଷତିଗସ୍ତ ଚାଷୀଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ଭବାନୀପାଟଣା ବ୍ଲକ୍‌ ଅଧ୍ୟକ୍ଷା ସନ୍ତୋଷୀ ଦାସ, ଡୁମୁରିଆ ସରପଞ୍ଚ ସଂଜୀବମିଶ୍ର, ବୋର୍ଡା ସରପଞ୍ଚ ରୀନାରାଣୀ ଜାଲ, ବିଜେପି ଜିଲ୍ଲା ସଂଯୋଜକ ଲୋକନାଥ ଦୁର୍ଗା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର