କଳାହାଣ୍ଡି: ଧାନ ସଂଗ୍ରହ ପ୍ରକିୟା ଆରମ୍ଭ:ପ୍ରଥମ ଦିନରେ ଟୋକନ୍ ନେଲେ ନାହିଁ ଚାଷୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୧ ତାରିଖ ଗୁରୁବାର ଠାରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ବିଧିବଦ୍ଧ ଧାନ ସଂଗ୍ରହ ଆରମ୍ଭ ହୋଇ ପାରିନାହିଁ। ଗୁରୁବାର ପ୍ରଥମ ଦିନରେ ସମସ୍ତ ‌େପକ୍ସ ଜରିଆରେ ଚାଷୀଙ୍କୁ ଟୋକନ ଦେବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଆଜି କୌଣସି ଚାଷୀ ଟୋକନ ନେଇ ନଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଗତବର୍ଷ ମଧ୍ୟ ନଭେମ୍ବର ୧ରୁ ଧାନ ସଂଗ୍ରହ କରାଯିବ ବୋଲି ଘୋଷଣା ହୋଇଥିଲା। କିନ୍ତୁ ପ୍ରକୃତରେ ନଭେମ୍ବର ୨୩ ତାରିଖରୁ ଧାନ କ୍ରୟ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏହାର ପୁନରାବୃତ୍ତି ହେବାର ଆଶଙ୍କା ଦେଖା ଦେଇଛି। ଏଥର ବି ଚାଷୀମାନେ ଅଭାବୀ ବିକ୍ରିର ଶିକାର ହୋଇ ପାରନ୍ତି ବୋଲି ଚାଷୀ ମହଲରେ ଆଲୋଚନା ହେଉଛି। କଳାହାଣ୍ଡି ଜିଲ୍ଲାର ବହୁ ଅଞ୍ଚଳରେ କେନାଲରେ ପାଣି ନ ଆସିବା ଓ ଅତ୍ୟଧିକ ବର୍ଷା ଯୋଗୁଁ ଧାନ ଚାଷରେ ବିଳମ୍ବ ଘଟିଛି। ଅନ୍ୟପକ୍ଷରେ ଯେଉଁଠି ଧାନ ଅମଳ ଆରମ୍ଭ ହୋଇଛି ସେଠାରେ ଚାଷୀ ମଣ୍ଡିକୁ ନ ଯାଇ ଅଣ୍ଡର ରେଟରେ ଦଲାଲ ହାତରେ ଟେକି ଦେଉଥିବା ଦେଖିବାକୁ ମିଳିଛି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଆଜି ସମସ୍ତ ‌େପକ୍ସ ଖୋଲା ଯାଇଥିଲେ ବି କୌଣସି ଚାଷୀ ଟୋକନ ନେବାକୁ ଆସି ନଥିଲେ ବୋଲି କହିଥିଲେ। ଚାଷୀମାନେ କିପରି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ‌ସେଥିପ୍ରତି ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର