କଳାହାଣ୍ଡି: ସ୍ୱାମୀର ଗୋଇଠା ମାଡ଼ରେ ଗର୍ଭବତୀ ପତ୍ନୀଙ୍କ ମୃତ୍ୟୁ, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରେ ଶନିବାର ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ଉନ୍ମତ ସ୍ୱାମୀର ଗୋଇଠା ମାଡ଼ରେ ଗର୍ଭବତୀ ପତ୍ନୀଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଅଭିଯୁକ୍ତ ପାପକୁ ଲୁଚାଇବା ପାଇଁ ପତ୍ନୀଙ୍କ ମୃତଦେହକୁ ମାଟି ତଳେ ପୋତିବା ପରେ ଥାନାରେ ଆତ୍ମସମର୍ପଣ କରିଛି। ହୋଲି ଖେଳକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ଯୋଗୁଁ ଏଭଳି କାଣ୍ଡ ହୋଇଥିବା ପୁଲିସ କହିଛି।

ମିଳିଥିବା ସୂଚନା ଅନୁସାରେ ଟାଉନ ଥାନା ଅଧୀନ କୁମ୍ଭାରପଡ଼ାରେ ରହୁଥିବା କାଳିଆ ବିଶି ଶୁକ୍ରବାର ସାଙ୍ଗମାନଙ୍କ ସହିତ ହୋଲି ଖେଳି ସାରି ଘରକୁ ଆସିଥିଲା। ମଧ୍ୟାହ୍ନ ଭୋଜନ ପରେ ସେ ଘରେ ବସିଥିବା ବେଳେ କିଛି ସାଙ୍ଗମାନେ ଆଉ ଥରେ ହୋଲି ଖେଳିବାକୁ ଫୋନ୍‌ କରିଥିଲେ। କିନ୍ତୁ ଆଉ ଥରେ ହୋଲି ଖେଳିବାକୁ ଗଲେ ସ୍ୱାମୀ ମଦ ପିଇବେ ସନ୍ଦେହ କରି ସ୍ତ୍ରୀ ପୂଜା ବିଶି(୩୫) ବାରଣ କରିଥିଲେ। ଏହା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ କାଳିଆ ଉତ୍ତେଜିତ ହୋଇ ସ୍ତ୍ରୀଙ୍କ ପେଟକୁ ଲକ୍ଷ୍ୟ କରି ଏକ ଶକ୍ତ ଗୋଇଠା ମାରିଥିଲା। ପୂଜା ଗର୍ଭବତୀ ଥିବାରୁ କିଛି ସମୟ ପରେ ଜୀବନ ହରାଇଥିଲେ।

ରାତି ହେବା ପରେ କାଳିଆ ଅନ୍ୟ ଉପାୟ ନପାଇ ସ୍ତ୍ରୀର ମୃତଦେହକୁ ଗାଁ ମୁଣ୍ଡରେ ଥିବା ନାଳ ନିକଟରେ ଗାତ ଖୋଲି ପୋତି ଦେଇଥିଲା। ପରେ ସେ ଡରି ଯାଇ ଥାନାରେ ଆତ୍ମସମର୍ପଣ କରିଥିଲା। ପୁଲିସ କାଳିଆକୁ ପଚରାଉଚରା କରିବା ପରେ ଘଟଣାସ୍ଥଳକୁ ଯାଇ ପୂଜାର ମୃତଦେହକୁ ମାଟି ଭିତରୁ ବାହାର କରି ଜବତ କରିଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରୁଛି।

ସମ୍ବନ୍ଧିତ ଖବର