ଜଙ୍ଗଲ ଜମି ନାମରେ ଶହଶହ ହେକ୍ଟର ଜଙ୍ଗଲ ନଷ୍ଟ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୁନାଗଡ଼ ରେଞ୍ଜର ବୋଣ୍ଡୋଗୁଡ଼ା ସେକସନର ସଂରକ୍ଷିତ ଘନା ଜଙ୍ଗଲକୁ ଜଙ୍ଗଲ ଜମି ଓ ପୋଡୁଚାଷ ନାମରେ ଲୋକେ ଶହଶହ ହେକ୍ଟର ଗଛ କାଟି ନଷ୍ଟ କରି ଦେଇଛନ୍ତି। ବନ ବିଭାଗ ସବୁ ଜାଣି ଚୁପ ବସିବା ଘଟଣା ଏଠାରେ ଉଦବେଗ ପ୍ରକାଶ ପାଇଛି।
ଜୁନାଗଡ଼ ରେଞ୍ଜର ବଣ୍ଡୋଗୁଡା ସେକସନର ଗୋଲାମୁଣ୍ଡା ନିକଟ ସଂରକ୍ଷିତ ଘନା ଜଙ୍ଗଲ ଭିତରେ ଗୋଲାମୁଣ୍ଡା, ବଣ୍ଡୋଗୁଡ଼ା, ଏକନାଗୁଡା, ରଇନିପାଲି, ତୁଲସୀପାଲି, ରଣପୁର, ଖର୍ଲାବେଡ଼ା, ହଣ୍ଡାଖାଲପଡ଼ା, ସୋରସମାଲ, ଦେଦର ଆଦି ଗାଁର ଲୋକେ ଜଙ୍ଗଲ ଜମି ନାମରେ ଶହ ଶହ ହେକ୍ଟର ଜଙ୍ଗଲର ଗଛ ସବୁ କାଟି ଜଙ୍ଗଲ ନଷ୍ଟ କରି ଦେଇଛନ୍ତି। ବନ ବିଭାଗ ଅଧିକାରୀମାନେ ଜଙ୍ଗଲର ତଦାରଖ କରୁ ନଥିବା ଯୋଗୁଁ ଏହାର ଫାଇଦା ନେଇ ଲୋକେ ଜଙ୍ଗଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଜୁନାଗଡ଼ ସହରରେ ବାର୍ଷିକ ଶହଶହ ନୂତନ ଗୃହ ନିର୍ମାଣ କରାଯାଉଥିବା ବେଳେ ଏସବୁକୁ ସଦ୍ୟ କଟା ବଲି ଗଛ କେଉଁଠୁ ଆସୁଛି ବୋଲି ପ୍ରଶ୍ନ ଉଠୁଛି। ସହର ନିକଟ ଅନେକ ଗାଁରେ ଜଙ୍ଗଲରୁ ଗଛ ଆଣାଯାଇ ଇଟାଭାଟି ପୋଡ଼ା ଯାଉଥିବା ବେଳେ ଜଙ୍ଗଲ ବିଭାଗ ଚୁପ୍‌ ବସିଛି। ଅନ୍ୟପକ୍ଷରେ ସାଇକଲରେ ଜାଳେଣି କାଠ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କୁ ୧୦୦୦ରୁ ୧୫୦୦ ଟଙ୍କା ନିଆଯାଉଛି। ଟଙ୍କା ନ ଦେଲେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ଜୁନାଗଡ଼ ନିକଟ ଗର୍ଜନ ସଂରକ୍ଷିତ ଜଙ୍ଗଲ, ଘନା ସଂରକ୍ଷିତ ଜଙ୍ଗଲ, ପରିଆ ସଂରକ୍ଷିତ ଜଙ୍ଗଲ ସବୁ ଲୁପ୍ତ ହେବାକୁ ବସିଛି। ଏନେଇ ବଣ୍ଡୋଗୁଡ଼ା ସେକସନର ଫରେଷ୍ଟର ପ୍ରେମଲାଲ ସାଗରଙ୍କୁ ପଚାରିବାରୁ ଲୋକେ ଗୋଚର ଜମି ଭାବି ଜଙ୍ଗଲର ଗଛ କାଟିବାକୁ ଚେଷ୍ଟା କରୁଥିଲେ; ସେମାନଙ୍କୁ ଗଛ କାଟିବା ପାଇଁ ମନା କରାଯାଇଛି; ଜୁନାଗଡ଼ ତହସିଲଦାର ସେମାନଙ୍କୁ ଡିମାରକେସନ କରି ଜାଗା ଦେଖାଇବା ପରେ ଯଦି ଗୋଚର ଜାଗା ହୋଇଥାଏ ତାହେଲେ ସେମାନଙ୍କୁ ଏହି ଜାଗା ଛଡ଼ାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର