ମାଓପ୍ରବଣ ଅଞ୍ଚଳରେ ଭୋଟ ଦେଲେ ଡଙ୍ଗରିଆ ଓ ଝରଣିଆ

ଲାଞ୍ଜିଗଡ଼: ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଯାଇଛି। ଲାଞ୍ଜିଗଡ଼ରେ ସର୍ବମୋଟ ୮୭ଟି ବୁଥ୍ ରହିଥିବା ବେଳେ ୪୭ଟି ମାଓପ୍ରବଣ ସମ୍ବେଦନଶୀଳ ବୁଥ୍ ରହିଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ହେଲେ ବ୍ଲକର ଜଗନ୍ନାଥପୁର, ବଳଭଦ୍ରପୁର ଓ ଘାଟି ଅଞ୍ଚଳର ବିଭିନ୍ନ ବୁଥ୍‌ରେ ଇଭିଏମ୍ ତ୍ରୁଟିପୂର୍ଣ୍ଣ ଥିବାରୁ କିଛି ବିଳମ୍ବ ହୋଇଥିଲା। ଲାଞ୍ଜିଗଡ଼ ବ୍ଲକର ୨୬ଟି ପଞ୍ଚାୟତରେ ଭୋଟଦାନ ସୁରୁଖୁରୁରେ ଚାଲିଥିବା ବେଳେ ନିୟମଗିରି ପାଦଦେଶରେ ଥିବା ମାଓପ୍ରବଣ ପଞ୍ଚାୟତ ଭାବେ ପରିଚିତ ତ୍ରିଲୋଚନପୁର ପଞ୍ଚାୟତରେ ମଧ୍ୟ ଭୋଟଦାନ ସୁରୁଖୁରୁରେ ଚାଲିଥିଲା। ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଓ ଝରଣିଆ ମାଓବାଦୀଙ୍କ ଧମକକୁ ଖାତିର ନକରି ବୁଥ୍‌କୁ ଆସି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ସୂଚନା ଥାଉ କି, ୨୦୧୪ ମସିହାରୁ ମାଓବାଦୀଙ୍କ ଧମକରେ ନିୟମଗିରି ଅଞ୍ଚଳବାସୀ ଭୋଟ ଦେବାରୁ ବଞ୍ଚିତ ହୋଇଥିଲେ। ଏମିତିକି ୨୦୧୭ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଭୋଟ ବର୍ଜନ କରିଥିଲେ। ହେଲେ ଏ ବର୍ଷ ସାଧାରଣ ନିର୍ବାଚନରେ ନିଜ ପ୍ରିୟ ବିଧାୟକ ଓ ସାଂସଦ ପାର୍ଥୀ ଭୋଟ ଦେଇଥିଲେ ଏହି ଅଞ୍ଚଳବାସୀ। ମାଓବାଦୀ ଭୟରେ ନିୟମଗିରି ଅଞ୍ଚଳକୁ କୌଣସି ସାଂସଦ କିମ୍ବା ବିଧାୟକ ପ୍ରାର୍ଥୀ ପ୍ରଚାରରେ ଆସି ନଥିଲେ। ତଥାପି ଭୋଟ ଦେଇଥିଲେ ସ୍ଥାନୀୟ ଅଧିବାସୀ ତ୍ରିଲୋଚନପୁର ପଞ୍ଚାୟତର ଗଉଡ଼ଥୁଆଗୁଡ଼ା ଓ ତ୍ରିଲୋଚନପୁର ଦୁଇଗୋଟି ବୁଥ୍ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୫୦୩ ଓ ପୁରୁଷ ଭୋଟର ସଂଖ୍ୟା ୪୪୯ ଅଛନ୍ତି। ବ୍ଲକର ସମ୍ବେଦନଶୀଳ ବୁଥ୍ ଭାବରେ ବିଜେପୁର, ମାଳିଯୁବାଙ୍ଗ, ପାହାଡ଼ପଦର, ବେନଗାଁ, ବନ୍ଧପାରୀ, କାନକୁଟ୍ରୁ, କୁମଖାଲ, ବେଡାଗାଁ ପଞ୍ଚାୟତ ରହିଛି। ଦଳୀୟ କର୍ମୀ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡ଼ିଥିବା ବେଳେ ଅନେକ ଭୋଟର ନିଜ ଇଚ୍ଛା ଅନୁସାରେ ନିଜ ମନପସନ୍ଦ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ପ୍ରକାଶ କରିଛନ୍ତି। ବ୍ଲକରେ ସର୍ବମୋଟ ୫୮୯୩୨ଜଣ ଭୋଟର ଥିବା ବେଳେ ୨ଟି ଆଦର୍ଶ ବୁଥ୍ କରାଯାଇଥିଲା। ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କୁ ନେବା ଆଣିବା ପାଇଁ ଗାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର