ବଡ଼ ବନ୍ଦିଛୋଡ଼ ନିଖୋଜ ଘଟଣାରୁ ପରଦା ହଟିଲା:ହତ୍ୟା ମାମଲା ରୁଜୁ; ୨ ଗିରଫ, ୩ ଫେରାର

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗାଁର ବଡ଼ ବନ୍ଦିଛୋଡ଼ ୨୦୧୩ ମସିହାରୁ ନିଖୋଜ ଥିଲେ। ଏହାର ୫ ବର୍ଷ ପରେ ଗୋଲାମୁଣ୍ଡା ପୁଲିସ ଏହି ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି। ପୁଲିସ ବଡ଼ଙ୍କୁ ହତ୍ୟା କରାଯାଇଥିବା ନେଇ ଏକ ମାମଲା ରୁଜୁ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏଥିରେ ସଂପୃକ୍ତ ଅନ୍ୟ ୩ ଜଣ ଫେରାର୍‌ ଥିବା ଜଣାଯାଇଛି।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ ଅଫିସ୍‌ରେ ୨୦୧୩ ମସିହାରେ ଚେକ୍‌ ହେର୍‌ଫେର୍‌ ଘଟଣା ସାରା ଜିଲ୍ଲାରେ ବହୁ ଚର୍ଚ୍ଚାର ବିଷୟ ଥିଲା। ଏହି ଘଟଣାରେ ତତ୍‌କାଳୀନ ତହସିଲଦାର, କିରାଣି ଗିରଫ ହୋଇ ଜେଲ ଯାଇଥିଲେ। ବଡ଼ ବନ୍ଦିଛୋଡ଼ ମଧ୍ୟ ଏହି ମାମଲାରେ ସଂପୃକ୍ତ ଥିଲେ। ୨୦୧୩ ମସିହା ଡିସେମ୍ବର ମାସ ୩୧ ତାରିଖରେ ବଡ଼ ଉଦେଶୁରୁଙ୍ଗ ଗାଁର ଭତ୍ତାପଡ଼ା ବାମଦେବ ନାଏକଙ୍କ ଘରକୁ ଯାଇ ଆଉ ଘରକୁ ଫେରି ନଥିଲେ। ସେ ସମୟରେ ପୁଅର ନିଖୋଜ ପଛରେ ବାମଦେବ ଓ କେତେକ ସହଯୋଗୀଙ୍କ ହାତ ଥିବା ନେଇ ବଡ଼ଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ସେତେବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ବହୁ ଦିନ ତଳେ ଅର୍ଥାତ୍‌ ୨୦୧୪ରେ ବଡ଼ଙ୍କ ବାଇକ୍‌ଟି କେଗାଁ ଥାନା ବାଗମୁଣ୍ଡା ପାଖ ଡ୍ୟାମ୍‌ରୁ ମିଳିଥିଲା। ଏହା ପରେ ମଧ୍ୟ ବଡ଼ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସାକ୍ଷାତ କରି ନ୍ୟାୟ ପାଇଁ ଗୁହାରି କରିଥିଲେ। ମାତ୍ର କୌଣସି ସୁଫଳ ମିଳିନଥିଲା। ଅନ୍ୟ ପକ୍ଷରେ ଅଭିଯୁକ୍ତମାନେ ଘଟଣା ଦିନଠାରୁ ଫେରାର୍‌ ହୋଇ ଯାଇଥିଲେ।
ତେବେ ଗତ ମଇ ୨୨ ତାରିଖ ଦିନ ତୁମୁରା ଗ୍ରାମ ପାଖ ଏକ ପୋଲ ତଳେ ବାମଦେବ ଲୁଚି ରହିଥିବା ଦେଖି ବଡ଼ଙ୍କ ଭାଇ ତନ ବନ୍ଦିଛୋଡ଼ ଗ୍ରାମବାସୀଙ୍କ ସହଯୋଗରେ ତାକୁ ଧରି ପୁଲିସର ଜିମା ଦେଇଥିଲେ। ପୁଲିସ ବାମଦେବଙ୍କୁ ଅଟକ ରଖି ତନାଘନା ଆରମ୍ଭ କରିଥିଲେ। ପରେ ବାମଦେବ ପୁଲିସ ଆଗରେ ଘଟଣା ବାବଦରେ ସବୁ ବର୍ଣ୍ଣନା କରିବା ସହ ବଡ଼କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଅଭିଯୁକ୍ତ ବାମଦେବର କହିବା ଅନୁସାରେ, ସେ, ବଡ଼ ଏବଂ ନୂଆପଡା ଜିଲ୍ଲା କପିଆ ଗ୍ରାମର ମହେଶ୍ୱର ଭୋଇ, ଭତ୍ତାପଡ଼ାର ନିରଞ୍ଜନ ନାଏକ ଓ ବିଶିକେଶନ ମଶ୍ରା, ଧର୍ମଗଡ଼ ଥାନା ବିକ୍ରମଗୁଡା ଗ୍ରାମର ଜକ୍ତା ନାଏକ ମିଶି ଗୋଲାମୁଣ୍ଡା ତହସିଲର ୩୦ ଲକ୍ଷ ଟଙ୍କାର ଚେକ୍‌ ହେରଫେର୍‌ କରିଥିଲେ। ବଡ଼ ଏହି ଟଙ୍କାରୁ ଭାଗ ମାଗୁଥିଲା। କିନ୍ତୁ ଅନ୍ୟମାନେ ବଡ଼ଙ୍କୁ ଭାଗ ନଦେଇ ଜୀବନରେ ମାରିଦେବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ୨୦୧୩ ମସିହା ଡିସେମ୍ବର ମାସ ୩୧ ତାରିଖରେ ବଡ଼ଙ୍କୁ ସେମାନେ ପ୍ରଚୁର ମଦ୍ୟପାନ କରାଇ ହତ୍ୟା କରି ନୂଆପଡା ଜିଲ୍ଲା ଲିଆଡ ଜଙ୍ଗଲ ମଧ୍ୟରେ ଥିବା ଏକ ନାଳରେ ଫିଙ୍ଗି ଦେଇଥିଲେ। ବାମଦେବର ସୂଚନା ଆଧାରରେ ପୁଲିସ ମହେଶ୍ୱର ଭୋଇକୁ ଗିରଫ କରିଛି। ଅନ୍ୟ ୩ ଜଣ ଫେରାର୍‌ ଥିବା ଜଣାଯାଇଛି। ପୁଲିସ ଅଭିଯୁକ୍ତଙ୍କୁ ନେଇ ବଡ଼ଙ୍କୁ ଫିଙ୍ଗିଥିବା ସ୍ଥାନକୁ ଯାଇଥିଲା। ମାତ୍ର ଘଟଣାର ୫ ବର୍ଷ ବିତି ଯାଇଥିବାରୁ ଶବର କୌଣସି ଚିହ୍ନବର୍ଣ୍ଣ ମିଳିନଥିଲା। ତେବେ ପୁଲିସ ବାମଦେବ ଓ ମହେଶ୍ୱରଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ଅନ୍ୟ ୩ ଜଣଙ୍କୁ ଧରିବାକୁ ତନାଘନା ଚଳାଇଥିବା ଗୋଲାମୁଣ୍ଡା ଥାନା ଆଇଆଇସି ଉଲ୍ଲାସ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର