କାଲି ଆସିବେ ମୋଦୀ:୨୬ ବର୍ଷ ପରେ କଳାହାଣ୍ଡିକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ

ସୁବର୍ଣ୍ଣପୁର ଗସ୍ତ ୬ରେ:ପ୍ରସ୍ତୁତି ସମୀକ୍ଷା କଲେ କେଭି

ଭବାନୀପାଟଣା,: କଳାହାଣ୍ଡି ଜିଲ୍ଲାକୁ ପଞ୍ଚମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆସନ୍ତା ୨ ତାରିଖ ଦିନ ଆସିବେ। ଭବାନୀପାଟଣା ଠାରେ ସେ ନିର୍ବାଚନୀ ପ୍ରଚାର ସଭାରେ ଉଦ‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଗସ୍ତ ନେଇ ଜିଲ୍ଲାରେ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି।
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାକୁ ୧୯୭୬ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଆସିଥିଲେ। ୧୯୭୮ ମସିହାରେ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ମୁଖୀଗୁଡା ଠା‌ରେ ଇନ୍ଦ୍ରାବତୀ ପ୍ରକଳ୍ପର ଶିଳାନ୍ୟା‌ସ କରିଥିଲେ। ୧୯୮୫ ମସିହାରେ ରାଜୀବ ଗାନ୍ଧି ଖରିଆର ଆସିଥିଲେ। ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପରେ କେବିକେ ଯୋଜନା ଆରମ୍ଭ କରିଥିଲେ। ଏହା ସମଗ୍ର ଦେଶରେ ପଛୁଆ ଅଞ୍ଚଳ ପାଇଁ ଏକ ପ୍ରୟୋଗଶାଳା ପାଲଟିଥିଲା। ୧୯୯୧ ମସିହାରେ ଚନ୍ଦ୍ରଶେଖର ଭବାନୀପାଟଣା ଗସ୍ତରେ ଆସିଥିଲେ। ୧୯୯୨ ମସିହାରେ ପି.ଭି. ନରସିଂହ ରାଓ ଜୁନାଗଡ-ଲାଞ୍ଜିଗଡ ରେଳପଥର ଶିଳାନ୍ୟାସ କରିଥିଲେ। ୧୯୯୩ ମସିହାରେ ପୁଣି ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ନୂଆପଡା ଜିଲ୍ଲାର ଖରିଆର ଗସ୍ତରେ ଆସିଥିଲେ। ବର୍ତ୍ତମାନ ୨୬ ବର୍ଷ ପରେ କଳାହାଣ୍ଡି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଆସୁଥିବା ଚର୍ଚ୍ଚାର ବିଷୟ ହୋଇଛି।
୧୯୭୬ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଭବାନୀପାଟଣା ସହରକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ। ବର୍ତ୍ତମାନ ନରେନ୍ଦ୍ର ମୋଦୀ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି। ଏହି ଗସ୍ତ ବେଳେ ସେ କୌଣସି ନୂଆ‌ ପ୍ରକଳ୍ପ ଘୋଷଣା କରିପାରିବେ ନାହିଁ। ତେଣୁ ନିର୍ବାଚନ ପୂର୍ବରୁ ଆସିଥିଲେ ଏହା ଜିଲ୍ଲା ପାଇଁ ଫଳପ୍ରଦ ହୋଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। କିଛିଦିନ ତଳେ ବଲାଙ୍ଗୀର ଆସିଥିବା ବେଳେ କଳାହାଣ୍ଡି ଜିଲ୍ଲାର ଅସୁରଗଡ ପ୍ରତ୍ନତାତ୍ତ୍ବିକ ଖନନ ପାଇଁ ଜାତୀୟ ହେରିଟେଜ ମାନ୍ୟତା ଦେଇଥିଲେ। ଏବ‌େ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଜୁନାଗଡ-ଅମ୍ବାଗୁଡା ରେଳପଥ, ନର୍ଲା ଠାରେ ୱାଗନ ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ପ୍ରସ୍ତାବ ଉପରେ କେନ୍ଦ୍ର ସରକାରଙ୍କ ଅବହେଳା ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଗତ ୫ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲା ପାଇଁ କୌଣସି ଆଖିଦୃଶିଆ ପ୍ରକଳ୍ପ ଘୋଷଣା ହୋଇ ନଥିବା ବେଳେ ବର୍ତ୍ତମାନ ମୋଦୀଙ୍କ ନିର୍ବାଚନୀ ଗସ୍ତ ନେଇ ବୁଦ୍ଧିଜୀବୀ ମହଲରେ ସେତେଟା ଉତ୍ସାହ ଦେଖିବାକୁ ମିଳୁନି।
ଜିଲ୍ଲା ବିଜେପି ସଭାପତି ପ୍ରଦୀପ୍ତ ନାଏକ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଓ ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ପାଇଁ ଏହି ଗସ୍ତ ବିଜେପିର ଏକ ସୁପରିକଳ୍ପିତ ଯୋଜନା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କଳାହାଣ୍ଡି ଲୋକସଭା ଆସନ ଉଭୟ କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ନେଇ ଗଠିତ ହୋଇଥିବା ବେଳେ ବିଜେପି ଗଡକୁ ପୁନର୍ବାର ଫେରାଇ ଆଣିବାକୁ ମୋଦୀ ମନ୍ତ୍ର କେତ‌େ କାଟୁ କରିବ ସେ ନେଇ ଲୋକମାନେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ବିଜେପିର ‌ଫାଟ କେତ‌େ ଯୋଡିହେବ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ସୋନପୁର,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ପାଇଁ ୬ ରେ ସୁବର୍ଣ୍ଣପୁର ଆସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସୋନପୁର ଷ୍ଟାଡିୟମରେ ଆୟୋଜିତ ସଭାରେ ସେ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିପାଇଁ ବିଜେପି ବିଧାୟକ ‌ଦଳ ନେତା କନକବର୍ଦ୍ଧନ ସିଂହଦେଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଷ୍ଟାଡିୟମ ବୁଲି ଦେଖିବା ସହିତ ସ୍ଥାନୀୟ ନେତୃବୃନ୍ଦଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଏପରିକି ଦଳୀୟ ନେତୃବୃନ୍ଦ ଏସପି ଦେବୀ ପ୍ରସାଦ ଦାଶଙ୍କୁ ଭେଟି କାର୍ଯ୍ୟକ୍ରମ ସମ୍ପର୍କ‌ରେ ଆଲୋଚନ କରିଛନ୍ତି। ଦଳ ପକ୍ଷରୁ ମୋଦିଙ୍କ ନିର୍ବାଚନୀ ସଭା ପାଇଁ ଅନୁମତି ମଧ୍ୟ ନିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ମହାପାତ୍ର, ସୋନପୁର ବିଧାୟକ ପ୍ରାର୍ଥୀ ଅଶୋକ ପୂଜାରୀ, ଜିଲ୍ଲା ପରିଷଦ ସଭ୍ୟ ଜୟନାରାୟଣ ନେଗୀ, ଦିଲ୍ଳୀପ ପୂଜାରୀ, ଗଣେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର