ନ୍ୟାସନାଲ କଲେଜକୁ ସରକାରୀ ମାନ୍ୟତା ଦାବି:ରାଜଭବନ ସମ୍ମୁଖରେ ‘ଆପ୍‌’ର ଅନଶନ

୮ରେ ଜିଲ୍ଲାପାଳ ଅଫିସ ଘେରିବ ପୁରାତନ ଛାତ୍ର ସଂଘ

ନୂଆପଡ଼ା: ନୂଆପଡ଼ା ନ୍ୟାସନାଲ କଲେଜକୁ ସରକାରୀ ମାନ୍ୟତା ଦାବି କରି ଗୁରୁବାରଠାରୁ ରାଜଭବନ ସମ୍ମୁଖରେ ଆପ୍‌ ପକ୍ଷରୁ ପ୍ରତୀକ ଅନଶନ କରାଯାଇଛି ବୋଲି ଆପ୍‌ ରାଜ୍ୟ ସମ୍ପାଦକ (ସଂଗଠନ) ଅଂଶୁମାନ ଶତପଥୀ ସୂଚନା ଦେଇଛନ୍ତି। ବହୁଦିନ ହେଲା ସହରବାସୀ ନ୍ୟାସନାଲ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ କରିବାକୁ ଦାବି କରି ଆସୁଥିଲେ ମଧ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଗତ ୩୧ ତାରିଖରେ ସର୍ବଦଳୀୟ ନେତୃତ୍ୱବୃନ୍ଦଙ୍କ ଆହ୍ଵାନ କ୍ରମେ କଲେଜର ଶତାଧିକ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଥିଲେ। ଅନ୍ୟପକ୍ଷେ ପୂର୍ବତନ ଛାତ୍ର ସଂଘ ତରଫରୁ ୮ ତାରିଖରେ ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। କଲେଜର ୧୧ ଜଣ ପୂର୍ବତନ ଛାତ୍ର ଅନଶନରେ ବସିବାକୁ ସ୍ଥିର ହୋଇଥିବା କଲେଜର ଛାତ୍ର ନେତା ସୁମନ୍ତ ବେହେରା ଓ ପୂର୍ବତନ ଛାତ୍ର ସଂଘର ଟେକରାମ ସାହୁ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ସେହିପରି ଯୁବ କଂଗ୍ରେସ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଲୋକସଭା ସାଧାରଣ ସମ୍ପାଦକ ରବି ମଙ୍ଗରାଜ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର