ବାଇକ ଧକ୍କାରେ ବୃଦ୍ଧ ଗୁରୁତର

ମଣ୍ଡଳ: ଜୟପାଟଣା ଥାନା ବଡକୁଟ୍ରୁ ଫାଣ୍ଡି ଅନ୍ତର୍ଗତ କୋଟାଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।ପ୍ରକାଶ ଯେ, ଗତ ୨୧ ତାରିଖ ସନ୍ଧ୍ୟାରେ କୋଟାଗାଁର ମାଧବ ଜାଲ(୬୫) ସ୍ଥାନୀୟ ଶିବ ମନ୍ଦିର ପାଖ ନଲକୂଅକୁ ଗାଧେଇବାକୁ ଯାଇ ଫେରୁଥିବା ବେଳେ ସ୍କୁଟିରେ ଆସୁଥିବା ଚନ୍ଦନ ଛତ୍ରିଆ ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ସେ ମୁହଁ ମାଡ଼ି ତଳେ ପଡ଼ି ଯାଇଥିଲେ। ତାଙ୍କ କାନ ନାକରୁ  ରକ୍ତସ୍ରାବ ହେବା ସହ ଗୁରୁତର ହୋଇ ପଡ଼ିଥିଲେ। ଗ୍ରାମବାସୀମାନେ ୧୦୮ ଆମ୍ବୁଲାନ୍ସ ଡକାଇ ତାଙ୍କୁ କଲମପୁର ଡାକ୍ତରଖାନାକୁ ପଠାଇଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ  ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆଜି ବଡକୁଟ୍ରୁ ଫାଣ୍ଡି ଅଧିକାରୀ ଅନାମ ଡିଆନ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ତେବେ ବୃଦ୍ଧଙ୍କ କେହି ସମ୍ପର୍କୀୟ ନଥିବାରୁ ଲିଖିତ ଅଭିଯୋଗ ହୋଇପାରିନାହିଁ। ବୃଦ୍ଧଙ୍କ ଏକ ମାତ୍ର ପୁଅ ୧୫ ବର୍ଷ ତଳେ ଦାଦନ ଖଟିବାକୁ ଯାଇଥିବା ବେଳେ ଏଯାଏ ଘରକୁ ଫେରି ନାହାନ୍ତି। ପୁତ୍ରବଧୂ ଘର ଛାଡି ଚାଲି ଯାଇଥିବାବେଳେ ବୃଦ୍ଧଙ୍କ ପାଖରେ ସ୍ତ୍ରୀ ଓ ନାତୁଣୀ ରହୁଛନ୍ତି। ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର