ଚାଷୀଙ୍କୁ ମୋହରା ବନେଇଛନ୍ତି ଛାୟା ଠିକାଦାର : ପାଣି ପଞ୍ଚାୟତ ନାଁରେ ବ୍ୟାପକ ହରିଲୁଟ୍‌, କୋଟିକୋଟି ଟଙ୍କା ଖର୍ଚ୍ଚ ପରେ ବି ଜମିରେ ପାଣି ଲାଗୁନି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ପାଣି ପଞ୍ଚାୟତ ନାଁରେ ବ୍ୟାପକ ହରିଲୁଟ୍‌ ଚାଲିଥିବା ଅଭିଯୋଗ ହେଉଛି। କୋଟିକୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ କରନାଳିରେ ଚାଷ ଜମିକୁ ପାଣି ଲାଗୁ ନାହିଁ।

ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଜିଲ୍ଲାରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପ ପକ୍ଷରୁ ବାମ କେନାଲରେ ୧୦୫ଟି ପାଣି ପଞ୍ଚାୟତ ଜରିଆରେ ୫୨ ହଜାର ହେକ୍ଟର ଜମି ଓ ଦକ୍ଷିଣ କେନାଲରେ ଜମିରେ ପାଣି ପଞ୍ଚାୟତ ଜରିଆରେ ୫୫ଟି ପାଣି ପଞ୍ଚାୟତ ଜରିଆରେ ୨୭ ହେକ୍ଟର ଜମି କରନାଳି ଦ୍ୱାରା ଜଳସେଚନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଅର୍ଥ ଆସିଛି। ଜିଲ୍ଲାରେ ଜଳସେଚନ ବିଭାଗର କାଡା ଡିଭିଜନ ନଂ ୬ ଦ୍ୱାରା କୁସୁମଖୁଣ୍ଟି, ଧର୍ମଗଡ ଓ ଜୁନାଗଡ ସବ୍‌ଡିଭିଜନ ଜରିଆରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଚାଷୀଙ୍କ ତଳମୁଣ୍ଡ ଚାଷଜମିକୁ କରନାଳି ମାଧ୍ୟମରେ ଜଳସେଚନ ପାଇଁ ପ୍ରାୟ ୩୦୦ରୁ ୫୦୦ ହେକ୍ଟର ଜମି ଅଞ୍ଚଳରେ ପାଣି ପଞ୍ଚାୟତ ଗଠନ କରାଯାଇଛି। ଏହି ପାଣି ପଞ୍ଚାୟତଗୁଡିକରେ ପ୍ରଭାବଶାଳୀ ଠିକାଦାରମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହି ଅନ୍ୟ ଚାଷୀଙ୍କୁ ଭୁଆଁ ବୁଲାଇ ସମସ୍ତ ଠିକା କାମ କରୁଥିବା ନଜିର ରହିଛି।

ପ୍ରତି ପାଣି ପଞ୍ଚାୟତକୁ ଅତି କମ୍‌ରେ ୩ ଲକ୍ଷ ଟଙ୍କା ଅନୁଦାନ ଆସିଥାଏ। ଖର୍ଚ୍ଚ କଲା ପରେ ଅଟକଳ ଆହୁରି ବଢିଥାଏ। ପାଣି ପଞ୍ଚାୟତର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ଠିକା ଭାବରେ କାର୍ଯ୍ୟ କରି ବିଭାଗୀୟ ଅଧିକାରୀମାନଙ୍କ ସହିତ ସଲାସୁତରା କରି କରନାଳି ନିର୍ମାଣରେ ବ୍ୟାପକ ଅର୍ଥ ହରିଲୁଟ ଚାଲିଛି। ସଂପୃକ୍ତ ପଦାଧିକାରୀମାନେ ରାଜନୈତିକ ଛତ୍ରଛାୟା ତଳେ ଥିବା ଯୋଗୁଁ ବିଭାଗୀୟ ଅଧିକାରୀମାନଙ୍କୁ ଚାଷୀମାନେ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ।

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକର ତଲଜାରିଙ୍ଗ ଅଞ୍ଚଳର ମାଁ ବଞ୍ଜାରୀ ପାଣି ପଞ୍ଚାୟତକୁ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକବର୍ଷରେ ପ୍ରାୟ ୧କୋଟିରୁ ଅଧିକ ଟଙ୍କା କରନାଳି ନିର୍ମାଣ କରି ଚାଷ ଜମିକୁ ପାଣି ମଡ଼ାଇବାକୁ ଆସିଥିଲା। ଜୁନାଗଡ଼ କାଡା ସବଡିଭିଜନରେ ଏହି କାର୍ଯ୍ୟ ନିର୍ମାଣରେ ବହୁ ଅର୍ଥ ହରିଲୁଟ ଯୋଗୁଁ ନିମ୍ନମାନର କାର୍ଯ୍ୟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବହୁ ସ୍ଥାନରେ ଅଧା ନାଳି ଭାଙ୍ଗି ଯାଇଥିବା ଯୋଗୁଁ ତଳ ମୁଣ୍ଡରେ କେନାଲ ପାଣି ପହଞ୍ଚି ପାରୁ ନାହିଁ। ଏ ନେଇ ଚାଷୀମାନେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ସେହିଭଳି ଜୁନାଗଡ଼ ବ୍ଲକର ଦାସିଗାଁ, ଚିଲଗୁଡ଼ା, ରାଜପୁର ସମେତ ୩୦ରୁ ଅଧିକ ପାଣି ପଞ୍ଚାୟତରେ କାଡ଼ା ବିଭାଗର ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ବିଭାଗରେ ଆବଶ୍ୟକ କର୍ମଚାରୀ ନଥିବା ଯୋଗୁଁ କାର୍ଯ୍ୟ ମଧ୍ୟ ଠିକ ଭାବରେ ତଦାରଖ ହୋଇ ନାହିଁ ବୋଲି ସଫେଇ ଦିଆଯାଉଛି। କାଡ଼ା ବିଭାଗ ପକ୍ଷରୁ ଜିଲ୍ଲାରେ ୨୦୦୧-୦୨ ମସିହାରୁ ଜୟପୁର ଡିଭିଜନରୁ କାର୍ଯ୍ୟ ଚାଲୁଥିଲା। ୨୦୧୪-୧୫ ମସିହାରେ ଏହି ଡିଭିଜନ ଭବାନୀପାଟଣାରେ କାର୍ଯ୍ୟକାରୀ ହେଲା। ଏହି କରନାଳି କେନାଲର କୋଟିକୋଟି ଟଙ୍କା ବିନା ଟେଣ୍ଡରରେ ପାଣି ପଞ୍ଚାୟତ ଦ୍ୱାରା ନିର୍ମାଣ କରାଯାଇଥିଲା।

ଜୁନାଗଡ ବ୍ଲକର ମହିଚଳା ଗ୍ରାମର ମା’ ଭଣ୍ଡାର ଘରଣୀ ପାଣି ପଞ୍ଚାୟତ ଜରିଆରେ ଗତ ୨୦୧୨-୧୩ ଆର୍ଥିକ ବର୍ଷରେ ୨୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କେନାଲ କାମ ଅତି ନିମ୍ନମାନର ହୋଇଥିବାରୁ ଏବେ କେନାଲ ଅବସ୍ଥା ଶୋଚନୀୟ ହୋଇ ଭୁଶୁଡ଼ିଥିବା ଦେଖିବାକୁ ମିଳୁଛି। ଫଳରେ ଚାଷୀ ଠିକ ଭାବରେ କେନାଲ ପାଣି ପାଇ ପାରୁନାହାନ୍ତି। ସେହିପରି ମାଳିଗୁଡା ଠାରେ ହୋଇଥିବା କରନାଳି କେନାଲ ତିଆରିରେ ଛତିଶଗଡ଼ରୁ ଚାଲାଣ ସିମେଣ୍ଟ ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏହି ସିମେଣ୍ଟର ଗୁଣ ବତ୍ତା ନିମ୍ନମାନର ଏବଂ ଏହା ଓଡ଼ିଶା ରାଜ୍ୟରେ ବ୍ୟବହୃତ ପାଇଁ ଅନୁମୋଦିତ ନୁହେଁ। ଏଭଳି ନିମ୍ନମାନର ସିମେଣ୍ଟ ବ୍ୟବହୃତ ହେଉଥିବା ଯୋଗୁଁ କାମ ନସୁରୁଣୁ କରନାଳି ଗୁଡିକ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଥିଲା। ପାଣି ପଞ୍ଚାୟତ ଦ୍ୱାରା ବ୍ୟାପକ ହରିଲୁଟ ଅଭିଯୋଗ ହେବା ପରେ ବର୍ତ୍ତମାନ ଅପର ଇନ୍ଦ୍ରାବତୀ ଜଳସେଚନ ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ କରନାଳି କେନାଲ କାର୍ଯ୍ୟ ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ କାଡାର କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ହୋଇ ନାହିଁ । ବ୍ୟାପକ ଅନିୟମିତତା ଯୋଗୁଁ କାଡାକୁ ଅନୁଦାନ ମଧ୍ୟ ଗତ କିଛି ମାସ ହେଲା ଆସିନଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ଏନେଇ କାଡ଼ାର ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ସ୍ୱାଇଁଙ୍କୁ ପଚାରିବାରୁ ‘ଗତ ଫେବ୍ରୁଆରି ମାସରୁ ମୁଁ ଦାୟିତ୍ୱରେ ଅଛି, ବର୍ତ୍ତମାନ କୌଣସି ଅନୁଦାନ ଆସି ନାହିଁ’ ବୋଲି କହି ପୁରୁଣା କାମ ଉପରେ ସେ ଟିପ୍ପଣୀ ଦେବାକୁ ମନା କରିଥିଲେ।

ସମ୍ବନ୍ଧିତ ଖବର