କଳାହାଣ୍ଡିରେ ପିସିସି ସଭାପତି; ଅଗଷ୍ଟ ସୁଦ୍ଧା ଅର୍ଦ୍ଧାଧିକ ପ୍ରାର୍ଥୀ ଘୋଷଣା: ନିରଞ୍ଜନ

ଭବାନୀପାଟଣା : ଦ୍ୱିତୀୟ ଥର ପାଇଁ ନିରଞ୍ଜନ ପଟ୍ଟନାୟକ ରାଜ୍ୟ ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ ଶନିବାର କଳାହାଣ୍ଡି ଗସ୍ତ କରିଥିଲେ। ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲାସ୍ତରୀୟ କଂଗ୍ରେସ ସମାବେଶରେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ। ସେ କହିଥିଲେ ଯେ, ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଅର୍ଦ୍ଧାଧିକ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ନାମ ଘୋଷଣା ପରେ ୩ ମାସ ପର୍ଯ୍ୟନ୍ତ ସଂଗଠନ ଓ କର୍ମୀଙ୍କୁ ନେଇ ନିଜ ଭାବମୂର୍ତ୍ତିରେ ପରିବର୍ତ୍ତନ ଓ ଜିତିବା ଆଶା ଦେଖା ନଗଲେ ପୁନର୍ବାର ଟିକଟ ପ୍ରତ୍ୟାହାର କରି ନିଆଯିବ ବୋଲି ସେ କହିଥିଲେ। କାନକୁହା କଥାରେ ବିଶ୍ୱାସ ନକରି ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ତୃଣମୂଳସ୍ତରରେ କଠିନ ପରିଶ୍ରମ କଲେ ହିଁ କଂଗ୍ରେସ ଆସିବ ଓ ଓଡ଼ିଶା ହସିବ। ଓଡ଼ିଶାର ଭାଷା ଓ ସ୍ୱାଭିମାନକୁ ସମ୍ମାନ ଦେଇ ଗୋପବନ୍ଧୁ ଓ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ଵାନ ଦେଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଳାହାଣ୍ଡିବାସୀଙ୍କୁ ଠକିବାରେ ଲାଗିଛନ୍ତି। ୧୮ ବର୍ଷରେ କଳାହାଣ୍ଡି ଜିଲ୍ଲାରେ ଜଳସେଚନ ପାଇଁ କୌଣସି ନୂଆ ପ୍ରକଳ୍ପ ହୋଇ ନାହିଁ । ଯାହା ହୋଇଛି କେବଳ କଂଗ୍ରେସ ଅମଳରେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେହିଭଳି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ଉଦବୋଧନ ଦେଇ କହିଥିଲେ ଯେ, କଂଗ୍ରେସ କର୍ମୀମାନେ ନିଜ ସ୍ୱାର୍ଥକୁ ନଦେଖି କଂଗ୍ରେସକୁ ବଞ୍ଚାଇବାକୁ ସାମୂହିକ ଉଦ୍ୟମ ଆବଶ୍ୟକ। ଆଜି ଜିଲ୍ଲା କଂଗ୍ରେସର ସଭାପତି ଗୋବର୍ଦ୍ଧନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଏଆଇସିସି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ଅନିଲ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ପୂର୍ବ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବ ମନ୍ତ୍ରୀ ରାସବିହାରୀ ବେହେରା, ପୂର୍ବ ବିଧାୟକ ସନ୍ତୋଷ ସିଂ ସାଲୁଜା, ଭାରତ ବେମାଲ, ପୂର୍ବ ସାଂସଦ ନକୁଳ ନାଏକ, ରାଜ୍ୟ ସଂପାଦକ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଉଦବୋଧନ ଦେଇଥିଲେ। ତ୍ରିଲୋଚନ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ସମାବେଶ ପୂର୍ବରୁ ସର୍କିଟହାଉସ ଠାରୁ ଏକ ବାଇକ ରାଲି ପରିକ୍ରମା କରି ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ପହଞ୍ଚିଥିଲା। ଏହି ସମାବେଶରେ ସୁରେଶ ମାଝୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସରେ ଯୋଗ ଦେଇଥିଲେ। ସେହିଭଳି ସରକାରୀ ମହିଳା କଲେଜ ସଭାନେତ୍ରୀ ଏମ ରାମେଶ୍ୱରୀ, ଏମ ଚିନ୍ନା, ସୁନୀତା ସାହୁ, ଅଶ୍ୱିନୀ ସେଠୀ ପ୍ରମୁଖ ଯୋଗ ଦେଇଥିବା ବେଳେ ପିସିସି ସଭାପତି ସେମାନଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର