ଆକ୍ରମଣକାରୀଙ୍କୁ ଗୋଲାମୁଣ୍ଡା ପୁଲିସର ଅନୁକମ୍ପା:ଆହତ ପରିବାର ଏସ୍‌ପିଙ୍କ ଦ୍ୱାରସ୍ଥ

ଭବାନୀପାଟଣା/ଦଶପୁର: ଗୋଲାମୁଣ୍ଡା ବ୍ଲକ ଦଶପୁର ଫାଣ୍ଡି ଅନ୍ତର୍ଗତ ଘୁଟିଆ ଗାଁରେ ପାରିଶ୍ରମିକ ମାଗିବାରୁ ଗୋଟିଏ ପରିବାରର ୩ଜଣଙ୍କୁ ମାଡ଼ ମାରି ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଦଶପୁର ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିନଥିଲେ। ଏନେଇ ଗୁରୁବାର ଆହତ ପରିବାର ପକ୍ଷରୁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ ଦଶପୁର ଫାଣ୍ଡି ଘୁଟିଆ ଗାଁର ମନୋରଞ୍ଜନ ଦୁର୍ଗା ଗତ ୧୧ ତାରିଖ ଦିନ ସେହି ଗାଁର ଅଲେଖ ଜାଲ ପାଖରେ କାମ କରିଥିବା ଟଙ୍କା ମାଗିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଲେଖ ମନୋରଞ୍ଜନଙ୍କୁ ମାଡ଼ ମାରିଥିଲେ। ଏହାଦେଖି ଘର ପାଖରେ ଥିବା ମନୋରଞ୍ଜନଙ୍କ ମା’ ତିଲୋତ୍ତମ ଓ ଜେଜେମା’ ଅନା ମାଡ଼ ମାରିବାକୁ ଅଲେଖଙ୍କୁ ବାରଣ କରିଥିଲେ। ଏଥିରେ ଅଲେଖ ଉତ୍ତେଜିତ ହୋଇ ତିଲୋତ୍ତମା ଓ ଅନାଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲେ । ଦୁହେଁ ଗୁରୁତର ଆହତ ହୋଇ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଏନେଇ ଗତ ୧୧ତାରିଖରେ ଅଲେଖଙ୍କ ବିରୋଧରେ ଦଶପୁର ଫାଣ୍ଡିରେ ମନୋରନଙ୍କ ବାପା ତୀର୍ଥ ଦୁର୍ଗା ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରି ମାମଲାକୁ ରଫାଦଫା କରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗର ୩ ଦିନ ବିତିଯାଇ ଥିଲେ ବି ଦଶପୁର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏନେଇ ଦଶପୁର ପୁଲିସ ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆହତଙ୍କ ପରିବାର କଳାହାଣ୍ଡି ପୁଲିସ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର