ଆଜି କେନ୍ଦ୍ରୀୟ ବଜେଟ : କଳାହାଣ୍ଡି ରେଳପଥ ପୁଣି ଉପେକ୍ଷିତ ହେବନି ତ?

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ରେଳ ବଜେଟରେ ବାରମ୍ବାର ଉପେକ୍ଷିତ ହେଉଥିବାବେଳେ ଆସ‘ାକାଲି କେନ୍ଦ୍ରୀୟ ବଜେଟରେ ପୁଣିଥରେ ଉପେକ୍ଷିତ ହେବନି ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୀତି ଆୟୋଗର ଅନୁମୋଦନ ପାଇବା ପରେ କେନ୍ଦ୍ରୀୟ ବଜେଟରେ ଜୁନାଗଡ଼ରୁ ଅମ୍ବାଗୁଡା ଭାୟା ନବରଙ୍ଗପୁର ନୂତନ ରେଳପଥ ପାଇଁ ଅର୍ଥ ବ୍ୟୟବରାଦର ଆଶା କରାଯାଉଛି। ସେହିଭଳି ଲାଞ୍ଜିଗଡ଼ରୁ ଜୁନାଗଡ଼ ପର୍ଯ୍ୟନ୍ତ ରେଳପଥର ୫୪ କିଲୋମିଟର ବିଦ୍ୟୁତି କରଣ ଏବଂ ରେଳବାଇ ବିଭାଗର ସମ୍ବଲପୁର ଡିଭିଜନର ଭବାନୀପାଟଣା ଠାରେ ରେଳବାଇ ତରଫରୁ ୨୫ କେଭି ବିଦ୍ୟୁତ ସବଷ୍ଟେସନ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଲ୍ଲୀ ରେଳବାଇ ବୋର୍ଡକୁ ପଠାଯାଇଛି। ଯାହାକି ଭଙ୍ଗବାରୀ ଗ୍ରିଡରୁ ରେଳବାଇର ସବଷ୍ଟେସନକୁ ବିଦ୍ୟୁତ ସଂଯୋଗ କରାଯିବ। କିଛିମାସ ତଳେ ରେଳବାଇ ବୋର୍ଡର କିଛି ସଦସ୍ୟ ଏବଂ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଉମେଶ ସିଂ ନର୍ଲା ଠାରେ ପ୍ରସ୍ତାବିତ ଇଲେକଟ୍ରିକ ଲୋକୋ ମୋଟିଭ ପାଓ୍ଵାରହଲ ପାଇଁ ସ୍ଥାନ ନିରୁପଣ କରି ଫେରିଯାଇଥିଲେ।

ଯାହାକି ନର୍ଲା ତହସିଲ ପକ୍ଷରୁ ଭଟାଙ୍ଗରେ ୮ ଏକର ଓ ଚପଟଖଣ୍ଡାରେ ୧୧ ଏକର ଜାଗା ପ୍ରଦାନ ନିମନ୍ତେ ଜମି ଦେଖେଇଥିଲେ। କିନ୍ତୁ ରେଳବାଇ ବୋର୍ଡ ଏହି ପ୍ରସ୍ତାବକୁ ଗହଣ ନକରି ଗୋଟିଏ ଜାଗାରେ ୧୯୪ଏକର ଜମି ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବଟି ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଦପ୍ତରରେ ବର୍ତ୍ତମାନ ମଧ୍ୟ ପଡ଼ିରହିଛି। କିଛିବର୍ଷ ପୂର୍ବେ ତତ୍କାଳୀନ କଳାହାଣ୍ଡି ସାସଦ ତଥା ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ଉଦ୍ୟମ କ୍ରମେ ୬ଟି ରେଳ ପ୍ରକଳ୍ପର ସର୍ଭେକାମ ଆରମ୍ଭ ହୋଇଥିଲା। ସେଥି ମଧ୍ୟରୁ ଜୁନାଗଡ-ଭଦ୍ରାଚଲମ ରୋଡ, ଜୁନାଗଡ-ଟିଟିଲାଗଡ ଭାୟା କେନ୍ଦୁପାଟି, ତୁର୍କେଲ ଓ ମାଟିଆ, ଜୁନାଗଡ-ସିକରପାଇ ଭାୟା ସିମେଲପଦର, ମେଲଘରା, ଖଣ୍ଡୁଆଲମାଲି ଓ କୁଟ୍ରୁମାଲି, ଜୁନାଗଡ-ରାଜିମ ଭାୟା ଧର୍ମଗଡ, ଦେଭୋଗ ଓ ଗରିଆବନ୍ଧ, ଲାିଗଡରୋଡ-ତାଳଚେର ଭାୟା ମଦନପୁର ରାମପୁର, ବାଲିଗୁଡା, ଫୁଲବାଣୀ, ପୁରୁଣାକଟକ ଓ ଆଠମଲ୍ଲିକ, କଣ୍ଟାବାଂଜି-ଜୟପୁର ଭାୟା ରାଜା ଖରିଆର, ଗୋଲାମୁଣ୍ଡା, ଧର୍ମଗଡ ଓ କୋକସରା ଏହି ସର୍ଭେ ରିପୋର୍ଟ ଗୁଡିକ ବର୍ତ୍ତମାନ ରେଳବାଇବୋର୍ଡ ପାଖରେ ବିଚାରଧିନ ରହିଛି।

ଏହି ବଜେଟରେ ଟ୍ରେନନଂ ୧୨୮୭୧/୧୨୮୭୨ହାୱାଡା ଟିଟିଲାଗଡ ହାଓ୍ଵାଡା ଇସ୍ପାତ ସୁପରଫାଷ୍ଟ ଏକ୍ସପ୍ରେସ ଏବଂ ଟ୍ରେନନଂ ୫୮୫୦୩/୫୮୫୦୪ ରାୟଗଡା ବିଶାଖାପାଟଣା ରାୟଗଡ଼ା ପାସେଞ୍ଜରକୁ ଜୁନାଗଡ଼ ରୋଡ୍‌ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ନିମନ୍ତେ ସମ୍ବଲପୁର ମଣ୍ଡଳର ପ୍ରସ୍ତାବରୁ ରେଳବାଇ ବୋର୍ଡକୁ ଅନୁମୋଦନ ପାଇଁ ପଠାଯାଇଛି। ସେହିଭଳି ସପ୍ତାହକୁ ଦୁଇଥର ବିଶାଖାପାଟଣାରୁ ଜମ୍ମୁତବି ଏବଂ ବିଶାଖାପାଟଣାରୁ ବାରଣାସୀକୁ ଭାୟା କେସିଙ୍ଗା ଦେଇ ଟ୍ରେନ ଚଳାଇବା ନିମନ୍ତେ ଓ୍ଵାଲଟିୟର ମଣ୍ଡଳର ପ୍ରସ୍ତାବକୁ ରେଳବାଇ ବୋର୍ଡ ଅନୁମୋଦନ ପାଇବାର ସମ୍ଭାବନା ରହିଛି।

କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ ଲାଞ୍ଜିଗଡ଼ ଏବଂ ଲାଞ୍ଜିଗଡ଼ରୁ ଜୁନାଗଡ଼ ମଧ୍ୟରେ ରେଳବାଇର ଅନେକ ଜାଗା ବ୍ୟବହୃତ ନହୋଇ ପଡିରହିଛି। ଏହି ସ୍ଥାନମାନଙ୍କରେ ସ୍କିଲଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର ଖୋଲାଗଲେ ଜିଲ୍ଲାର ବହୁ ବେକାର ଯୁବକ ଯୁବତୀ ଧନ୍ଦାମୁଳକ ତାଲିମ ପାଇ ରୋଜଗାରକ୍ଷମ ହୋଇପାରନ୍ତେ। ସେହିଭଳି ଝାଡଖଣ୍ଡ ରାଜ୍ୟର ଟାଟାନଗରରେ ଥିବା ଇସ୍ପାତ କାରଖାନା ପକ୍ଷରୁ ଚକ୍ରଧରପୁରରୁ ସରଣ୍ଡା ପର୍ଯ୍ୟନ୍ତ ଲୋକଙ୍କ ସେବା ପାଇଁ ମାଗଣାରେ ଦିନକୁ ତିନିଥର ପ୍ୟାସେର ରେଳ ଚଳାଚଳ କରିଥାଏ। ସେହିଭଳି କଳାହାଣ୍ଡିରେ ଥିବା ବେଦାନ୍ତ ଆଲୁମିନା କାରଖାନା ପକ୍ଷରୁ ଲାଞ୍ଜିଗଡ଼ରୁ ଅମ୍ବାଦୋଲା ପର୍ଯ୍ୟନ୍ତ ବେଦାନ୍ତର ନିଜସ୍ୱ ରେଳଧାରଣା ପରିବହନ ନିମନ୍ତେ ନିର୍ମାଣ କରାଯାଇଛି।

ଏହି ରେଳପଥରେ ଟାଟାନଗର ଭଳି ଜୁନାଗଡ଼ ରୋଡ ଭାୟା ଅମ୍ବାଦୋଲା, ଲାଞ୍ଜିଗଡରୋଡ, ଭବାନୀପାଟଣାକୁ ମାଗଣାରେ ରେଳଚଳାଚଳ କରିବାକୁ ସାଧାରଣରେ ଦାବି ହୋଇଛି। ଲାଞ୍ଜିଗଡ଼ ବ୍ଲକ ଏକ ପଛୁଆ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅଞ୍ଚଳର ଲୋକମାନଙ୍କ ଯାତାୟାତ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାର ଓ ରେଳ ବିଭାଗଙ୍କୁ ପ୍ରସ୍ତାବ ଦିଆଗଲେ ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। କଳାହାଣ୍ଡି ଜିଲ୍ଲାକୁ ବିଭିନ୍ନ ସମୟରେ ରେଳ ବିଭାଗ ପକ୍ଷରୁ ଉପେକ୍ଷା କରାଯାଉଥିବା ବେଳେ ନିର୍ବାଚନ ପୂର୍ବରୁ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ ଥିବାରୁ ଜିଲ୍ଲାବାସୀ ଏଥର କିଛି ନୂତନ ପ୍ରକଳ୍ପର ବ୍ୟୟବରାଦ ପାଇଁ ଆଶା ବାନ୍ଧି ବସିଛନ୍ତି।

ସମ୍ବନ୍ଧିତ ଖବର