ଦଣ୍ଡପାଟରେ ଅଜଣା ଜନ୍ତୁ ଆତଙ୍କ, ୫ ଆହତ

ବେହେରା: କଳାହାଣ୍ଡି ଜିଲ୍ଲା ଦଣ୍ଡାପଟ ଅଂଚଳରେ ଗତ ଦୁଇ ଦିନ ହେଲା ଏକ ଅଜଣା ଜନ୍ତୁ ଲୋକଙ୍କୁ ଆକ୍ରମଣ କରୁଥିବା ପ୍ରଚାର ହେଉଛି। ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ରାତିରେ ଏମାନେ ଭଲ ଭାବେ ଶୋଇ ପାରୁ ନାହାନ୍ତି। ଏହି ଅଜଣା ଜନ୍ତୁ ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ପଲସପାଣି ଗାଁର ଦିଗାମ୍ବର ନାଏକ (୪୩), ଗୋବିନ୍ଦ ନାଏକ(୫୫), ଛଂଚାଣବାହାଲି ଗାଁର ଧନମତି ଯୁଏଡ଼(୪୦), କଦଳୀମୁଣ୍ଡା ଗାଁର ଚିତ୍ର ଅରେବେଡ଼ିଆ ଓ କାଣ୍ଡପାଟ ଗାଁର ପ୍ରଫୁଲ୍ଲ ପୋଢ଼(୭୪)। ଆହତମାନଙ୍କୁ ଚିକିତ୍ସା ପାଇଁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହତ ବ୍ୟକ୍ତିମାନଙ୍କ କହିବା ଅନୁସାରେ, ସେମାନେ ନିଜ ଘରେ ବୁଧବାର ରାତିରେ ଶୋଇଥିଲେ। ରାତି ୯ଟା ପରେ ଏକ ଅଜଣା ଜନ୍ତୁ ଆସି ସେମାନଙ୍କୁ କାମୁଡ଼ି ପଳାଇ ଯାଇଥିଲା। ଏହି ସମୟରେ ଆହତ ଲୋକମାନେ ଚିତ୍କାର କରି ପାଟିତୁଣ୍ଡ କରିଥିଲେ। ଚିତ୍କାର ଶୁଣି ପରିବାରର ଅନ୍ୟ ଲୋକମାନେ ହଡ଼ବଡ଼େଇ ଯାଇ ନିଦରୁ ଉଠି ଦେଖିଲା ବେଳେ ଅଜଣା ଜନ୍ତୁ ସେଠାରୁ ନଥିଲା ବୋଲି ପଲସପାଣିର ଆହତ ଦିଗାମ୍ବର ଓ ଗୋବିନ୍ଦ କହିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରଫୁଲ୍ଲଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର