ବ୍ରାହ୍ମଣଛେଣ୍ଡିଆ ପଞ୍ଚାୟତରେ ଭିଜିଲାନ୍ସ ତଦନ୍ତ

ଭବାନୀପାଟଣା/ଖଇରପଦର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବ୍ରାହ୍ମଣଛେଣ୍ଡିଆ ପଞ୍ଚାୟତରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ତଦନ୍ତ ଦଳ ବର୍ତ୍ତମାନର ସରପଞ୍ଚ ବୀର କିଶୋର ନାୟକ ଓ ପୂର୍ବତନ ସରପଞ୍ଚ ପୁଷ୍ପାଞ୍ଜଳି ନାଏକଙ୍କୁ ନେଇ ବ୍ରାହ୍ମଣଛେଣ୍ଡିଆ, ଚିଲିଚିଲା ଓ ଥନଟକୁ ଗ୍ରାମକୁ ଯାଇ କାମ ସବୁ ଦେଖିଥିଲେ। ଏଥିରେ ବ୍ରାହ୍ମଣଛେଣ୍ଡିଆରେ ଅଧପନ୍ତରିଆ ୨୦ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ, ୬ଲକ୍ଷ ୫୦ ହଜାର ଟଙ୍କାର ପିଇଓଙ୍କ ବାସଗୃହ, ୮ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଡ୍ରେନ କାମ, ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୨ଟି ପୋଖରୀ ପାହାଚ, ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଚାରିଖୁଟିଆ ପୋଖରୀର ମାଟି କାମ ଓ ବିଲ ହୋଇ ନଥିବା ୩ଟି ନଳକୂଅକୁ ଭିଜିଲାନ୍ସ ଦଳ ଦେଖିଥିଲେ। ୪୬ ଲକ୍ଷ ୫୦ ହଜାର ଟଙ୍କାର କାଗଜପତ୍ର ଥିବା ବେଳେ ଅବଶିଷ୍ଟ ୫୪ ଲକ୍ଷ ୨୬ ହଜାର ୯୬ ଟଙ୍କାର କୌଣସି କାଗଜପତ୍ର ମିଳିନଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ଭିଜିଲାନ୍ସ ତଦନ୍ତ ଦଳକୁ ଗୋଲାମୁଣ୍ଡା ବ୍ଲକର ସହକାରୀ ଯନ୍ତ୍ରୀ ବିଜୟ ସାହୁ, ଭବାନୀପାଟଣା କନିଷ୍ଠ ଯନ୍ତ୍ରୀ, ଧର୍ମଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ମାନସ ସେଠୀ ଓ ବିସ୍ମିତା ନାଏକ ପ୍ରମୁଖ ତଦନ୍ତରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର