ବ୍ୟାପୁଛି ଭୂତାଣୁଜନିତ ରୋଗ, ମଲେଣି ୩୫ ଛେଳି

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚାୟତ ଅନ୍ତର୍ଗତ ଗୌନ୍ତିଆ ପଡ଼ାରେ ଛେଳିଙ୍କ ଠାରେ ଭୂତାଣୁଜନିତ ବ୍ୟାପୁଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ମଧ୍ୟରେ ଏହି ରୋଗ ୩୫ଟି ଛେଳି ପ୍ରାଣ ହରାଇଥିବା ବେଳେ ଏବେ ବି ୩୦ରୁ ଅଧିକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି। ଏମାନଙ୍କୁ ବୁଧବାର କଲମପୁର ପ୍ରାଣୀଧନ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏହି ରୋଗ କ୍ରମେ ଆଖ ପାଖ ଅଂଚଳକୁ ବ୍ୟାପୁଛି ବୋଲି ଛେଳି ପାଳକମାନେ ଅଭିଯୋଗ କରିଛନ୍ତି। ଏନେଇ ପ୍ରାଣୀ ଚିକିତ୍ସାଧିକାରୀ ଲଲାଟେନ୍ଦୁ ଦାସ ମହାପାତ୍ର କହିଛନ୍ତି, ଏହା ଭୂତାଣୁଜନିତ ରୋଗ, ତାକୁ ପକ୍ସ ବୋଲି କୁହାଯାଏ। ଏହି ଛେଳିମାନଙ୍କୁ ଟିକାକରଣ କରାଯାଇଥିଲେ ହେଁ କେଉଁ କାରଣରୁ ଔଷଧ କାମ କଲା ନାହିଁ ତାହା ବୁଝା ପଡୁ ନାହିଁ। ରୋଗୀ ଛେଳିଙ୍କ ସଂପର୍ଶ୍ୱରେ ଆସିଲେ ସୁସ୍ଥ ଛେଳି ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ କୌଣସି ଔଷଧ ନାହିଁ। କେବଳ ରୋଗକୁ ପ୍ରତିରୋଧ କରି ଆଗକୁ ନ ବଢ଼ିବା ପାଇଁ ବିଭାଗ ପକ୍ଷରୁ କେବଳ ପ୍ରତିଶେଧକ ଔଷଧ ଦିଆଯାଇ ପାରିବ ବୋଲି ସେ କହିଥିଲେ। ବୀମା କରିଥିଲେ ଛେଳି ମାଲିକମାନଙ୍କୁ ଆବଶ୍ୟକ କାଗଜପତ୍ର ଦେଲେ ବୀମା ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଅନ୍ୟ ପକ୍ଷରେ ଅନେକ ଚାଷୀ ବୀମା କରି ପାରିଥିବା ବେଳେ ସେମାନେ ବୀମା ଟଙ୍କା ପାଇବା ନେଇ ଅନିଶ୍ଚିତତା ଦେଖା ଦେଇଛି। ଗ୍ରାମର ଅଭିରାମ ବିହାରୀଙ୍କ ୪ଟି ଛେଳି, ଗଜାନନ ଦୁର୍ଗାଙ୍କ ୬ଟି ଛେଳି, ଦୁର୍ବଚରଣ ଦୀପଙ୍କ ୧୦ଟି ଛେଳି, ଦିଲୀପ ଦୀପଙ୍କ ୯ଟି ଛେଳି, ବିନତା ନିଆଲଙ୍କ ୯ଟି ଛେଳି ପ୍ରାଣ ହରାଇଥିବା ସେମାନେ ପ୍ରକାଶ କରିଛନ୍ତି। ଏକ ଚିକିତ୍ସକ ଦଳ ଗୁରୁବାର ଆକ୍ରାନ୍ତ ଗ୍ରାମକୁ ଯାଇ ଆକ୍ରାନ୍ତ ଛେଳିମାନଙ୍କୁ ଚିକିତ୍ସା କରାଇବା ଯୋଜନା ରହିଛି ବୋଲି ବିଭାଗ ତରଫରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର