ଚୋରା ଚାଲାଣ ବେଳେ ଗହମ ଜବତ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ପୁଲିସ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବା ୩୦ ବସ୍ତା ଗହମ ସହ ଏକ ମିନିଟ୍ରକ୍‌କୁ ଜବତ କରିଛି।
ସୂଚନା ଅନୁସାରେ, ଗୁରୁବାର ଜଣେ ବ୍ୟବସାୟୀ ଏକ ମିନିଟ୍ରକ୍‌ (ଓଆର ୦୮ସି ୬୫୦୭)ରେ ଗହମ ଲୋଡ୍‌ କରି କେଗାଁରୁ କଣ୍ଟାବାଞ୍ଜି ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଥାନାଧିକାରୀ ଜଗବନ୍ଧୁ ଅଙ୍ଗାରିଆ କେଗାଁ ଗୁରୁଜିପଡ଼ା ପାଖରେ ମିନିଟ୍ରକ୍‌କୁ ଧରି ଥାନାକୁ ନେଇଥିଲେ। ଗାଡ଼ି ସହ ୩୦ ବସ୍ତା ଗହମକୁ ଜବତ କରିଥିଲେ। ପରେ ଭବାନୀପଟଣା ଏସ୍‌ଡିପିଓ ବିରଞ୍ଚି ନାରାୟଣ ଦେହୁରୀ ଓ ଧର୍ମଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଯାଞ୍ଚ କରିଥିଲେ। ଜବତ ଗାଡ଼ିଟି ବ୍ୟବସାୟୀ ଚାନ୍ଦେ ଅଗ୍ରଓ୍ଵାଲଙ୍କର ବୋଲି ଜଣାପଡ଼ିଛି। ପୁଲିସ ସଂପୃକ୍ତ ବ୍ୟବସାୟୀଙ୍କ ଘର ଓ ଗୋଦାମରେ ବି ଯାଞ୍ଚ କରିଥିଲା। ଜବତ ଗହମ ପିଡିଏସ୍‌ରେ ଯୋଗାଣ ହୋଇଥିବା ଯୋଗାଣ ଅଧିକାରୀ ସନ୍ଦେହ କରୁଥିବା ବେଳେ ଏହା ଛତୁଆ ତିଆରି ପାଇଁ ଉଦ୍ଦିଷ୍ଟ ବୋଲି ବି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର