କନ୍ଧମାଳ ଜିଲ୍ଲା କଂଜ୍ୟୁମର ଫୋରମ: ୧୪ ମାସ ହେଲା ସଭାପତି ପଦ ଖାଲି, ନ୍ୟାୟ ପାଉ ନାହାନ୍ତି ଉପଭୋକ୍ତା

ନୂତନ ନିଯୁକ୍ତି ପାଇଁ ସଚିବଙ୍କୁ ଚିଠି କଲା ଜିଲ୍ଲା ଓକିଲ ସଂଘ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କଂଜ୍ୟୁମର ଫୋରମର ସଭାପତି ପଦ ୧୪ ମାସ ହେଲା ଖାଲି ପଡି ଥିଲେ ବି ନୂତନ ନିଯୁକ୍ତି ଦିଆଯାଉନି। ଯାହା ଫଳରେ ଗଦାଗଦା ମାମଲା ଫଇସଲା ନ ହୋଇ ପଡି ରହିଛି। ଆଉ ନୂତନ ମାମଲା ବି ରୁଜୁ ହୋଇ ପାରି ନାହିଁ। ସଭାପତି କେହି ନଥିବାରୁ ଉପଭୋକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। କୌଣସି ଜିନିଷ କିଣିବା ହେଉ କି ବ୍ୟାଙ୍କ ଓ ବୀମା ସେବାରେ ଅବହେଳା। ଏସବୁ ପାଇଁ ଉପଭୋକ୍ତାଙ୍କୁ ନ୍ୟାୟ ଯୋଗାଇ ଦେବା ଲକ୍ଷ୍ୟରେ ଜିଲ୍ଲା ସଦର ମହକୁମା ଫୁଳବାଣୀରେ ବହୁ ବର୍ଷ ପୂର୍ବେ ଜିଲ୍ଲା କଂଜ୍ୟୁମର ଫୋରମ ଖୋଲିଥିଲା।

ପ୍ରଥମେ କୋର୍ଟ ପରିସରରେ ଏହା ଚାଲି ଆସୁଥିବା ବେଳେ ତାପରେ କିଛି ବର୍ଷ ଭଡା ଘରେ ଚାଲିଲା। ୨୦୦୦ ମସିହାରୁ ଜିଲ୍ଲା କଂଜ୍ୟୁମର ଫୋରମ କୋର୍ଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ମାତ୍ର ୩ ଶହ ମିଟର ଦୁର ନିଜସ୍ୱ ବିଲଡିଂରେ ଚାଲି ଆସୁଛି। ସଭାପତି ପଦରେ ଜିଲ୍ଲା ଜଜ୍‌ କିମ୍ବା ଅବସରପ୍ରାପ୍ତ ଜଜ୍‌ ରହିବାର ନିୟମ ରହିଛି। ଏଥି ସହ ଜିଲ୍ଲା ଜଜ୍‌ ହେବାକୁ ଯୋଗ୍ୟତା ଥିବା ଅଭିଜ୍ଞ ବରିଷ୍ଠ ଆଇନଜୀବୀ ବି ଏହି ପଦରେ ମଧ୍ୟ ରହି ପାରିବେ। ସଭାପତି ସହ ସଦସ୍ୟ ଓ ସଦସ୍ୟା ଥିବାରୁ ବହୁ ଉପଭୋକ୍ତା ଫୋରମକୁ ଆସି ଅଭିଯୋଗ ଜଣାଉଥିଲେ। ଏ ନେଇ ମାମଲା ରୁଜୁ ହେବା ସହ ବିଚାର କରି ତାଙ୍କୁ ନ୍ୟାୟ ଯୋଗାଇ ଦିଆଯାଉଥିଲା।

ଗତ ବର୍ଷ ମଇ ମାସରେ ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆଉ ନୂଆ ସଭାପତି କାହାକୁ ନିଯୁକ୍ତି ମିଳିନି। ଆଉ ଜଣେ ସଦସ୍ୟ ବ୍ରହ୍ମପୁର କଂଜ୍ୟୁମର ଫୋରମ କାର୍ଯ୍ୟାଳୟକୁ ଅସ୍ଥାୟୀ ଭାବେ ବଦଳି ହୋଇଛନ୍ତି। ତାଙ୍କୁ ଏଠାକୁ ଅଣାଯାଉ ନାହିଁ। ବର୍ତ୍ତମାନ ଜଣେ ମହିଳା ସଦସ୍ୟା ସବୁ ଦାୟିତ୍ୱ ବୁଝାବୁଝି କରୁଛନ୍ତି। ଜଗିବା ବ୍ୟତୀତ ତାଙ୍କର ଆଉ କିଛି କରିବାର ନାହିଁ। ବର୍ଷେ ହେଲା ବହୁ ମାମଲା ବିଚାର ନ ହୋଇ ପଡି ରହିଛି। ସଭାପତି କେହି ନଥିବାରୁ ଶୋଷଣ ଓ ଠକାମିର ଶିକାର ହୋଇ ବି କେହି ଉପଭୋକ୍ତା ଆଉ ଫୋରମର ଦ୍ଵାରସ୍ତ ହେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଯେଉଁ ମହତ୍ତ ଉଦ୍ଦେଶ୍ୟ ନେଇ କଂଜ୍ୟୁମର ଫୋରମ ଖୋଲା ଯାଇଥିଲା ତାହା ଏବେ ଦୁରେଇ ଯାଇଛି। ଏଥିରୁ ଗ୍ରାହକମାନେ କୌଣସି ନ୍ୟାୟ ପାଇବାକୁ ସକ୍ଷମ ହୋଇ ପାରୁ ନାହାନ୍ତି। ନୂତନ ସଭାପତି ପଦ ପୂରଣ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇ ଆସୁଛି। ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏ ନେଇ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ଚିଠି କରାଯାଇ ଅନୁରୋଧ କରାଯାଇଛି ବୋଲି ସମ୍ପାଦକ ମନୋଜ କୁମାର ପଟ୍ଟନାୟକ କହିଛନ୍ତି। ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ସଭାପତି ପଦ ପୂରଣ ନିମନ୍ତେ ସବୁ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର