ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା : ତିନି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ଡାକ୍ତରୀ ମାଇନା ରିପୋର୍ଟକୁ ଆଧାର କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ୱତନ୍ତ୍ର କୋର୍ଟ ଜଜ୍‌ ସୁଶାନ୍ତ ପଟେଲ ଏହି ମାମଲାରେ ଚିତ୍ତରଂଜନ କହଁର, ପ୍ରଭାତ କହଁର ଓ ରାଜୀବଲୋଚନ କହଁରଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ ସହ ପ୍ରତ୍ୟେକଙ୍କୁ ୨୨ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅର୍ଥ ଅନାଦେୟ ହେଲେ ଆହୁରି ଅଧିକ ୪ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି।

୨୦୧୫ ମସିହା ଜୁନ ୧୨ ତାରିଖ ରାତିରେ ଏହି ଘଟଣା ଘଟିଥିଲା। ନାବାଳିକା ଛାତ୍ରୀଙ୍କ ବାପା-ମା’ ଗାଁରେ ଜଣଙ୍କର ଭୋଜିକୁ ଯାଇଥିଲେ। ସେମାନେ ଆସିବାରେ ବିଳମ୍ବ ହେବାରୁ ଛାତ୍ରୀଜଣକ ସେମାନଙ୍କୁ ଡାକିବାକୁ ଯାଉଥିଲେ। ସାଙ୍ଗରେ ପଡ଼ିଶା ଘରର ଜଣେ ଛୋଟ ଝିଅ ମଧ୍ୟ ଥିଲା। ଗାଁ ରାସ୍ତାରେ ଅନ୍ଧାରର ସୁଯୋଗ ନେଇ ସେହି ଗାଁର ଚିତ୍ତରଂଜନ, ପ୍ରଭାତ ଓ ରାଜୀବ ତାଙ୍କୁ ଟଣାଓଟରା କରିଥିଲେ। ଭୟରେ ଛୋଟ ଝିଅଟି ସେଠାରୁ ପଳାଇ ଯାଇଥିଲା। ତା’ପରେ ୩ ଅଭିଯୁକ୍ତ ଛାତ୍ରୀଙ୍କୁ ପାଖ ଜଙ୍ଗଲକୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହି କଥା କାହାରିକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଚମକ ଦେଇ ସେଠାରୁ ସେମାନେ ପଳାଇ ଯାଇଥିଲେ। ଲୋକଲଜ୍ଜା ଭୟରେ ଛାତ୍ରୀ ଜଣକ ଘରକୁ ନ ଯାଇ ବଡ ଭଉଣୀ ଶାଶୁ ଘରକୁ ଯାଇ ଘଟଣା ସମ୍ପର୍କରେ କହିଥିଲା। ତାପରେ ତାର ବାପା-ମା ସେଠାରେ ପହଞ୍ଚିଥିଲେ। ଝିଅଠାରୁ ସବୁ କଥା ଶୁଣିବା ପରେ ପରିବାର ଲୋକେ ଖଜୁରିପଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ଏହି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର