କନ୍ଧମାଳ: ଚାରି ଦିନରେ ୪ଟି ଲଜ୍ଜାଜନକ ଘଟଣା

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଯାହା ଜିଲ୍ଲାର ଆଇନ ଶୃଙ୍ଖଳାକୁ ଆଂଗୁଠି ନିର୍ଦ୍ଦେଶ କରୁଛି। ଏଠାରେ ମହିଳା ଓ ଶିଶୁ ସୁରକ୍ଷିତ ନୁହନ୍ତି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛି। ଏଣୁ ସରକାର ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ କଡା ଆଇନ ଆଣନ୍ତୁ ବୋଲି ଦାବି କରିଛି।

ବିଗତ ଚାରି ଦିନ ଭିତରେ ଏଭଳି ଲଜ୍ଜାଜନକ ଘଟଣା ୪ଟି ଲୋକଲୋଚନକୁ ଆସିଛି। ପ୍ରଥମ ଦିନରେ ଦାରିଙ୍ଗବାଡିର ଏକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା, ଦ୍ୱିତୀୟ ଦିନରେ ଜି.ଉଦୟଗିରିରେ ଜଣେ ନାବାଳିକା ଗର୍ଭବତୀ ହେବା ଘଟଣା, ତୃତୀୟ ଦିନରେ ଏକ କଲେଜ ଛାତ୍ରୀର ଅଶ୍ଳୀଳ ଭିଡ଼ିଓ ଭାଇରଲ ଓ ଆଜି ତୁମୁଡିବନ୍ଧ ଥାନା ଅଂଚଳରେ ଜଣେ ନଅ ବର୍ଷର ଶିଶୁ କନ୍ୟାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ ଘଟଣା ଜିଲ୍ଲାରେ ମହିଳା କେତେ ସୁରକ୍ଷିତ ତାହା ପ୍ରମାଣ କରୁଛି।

କିଛି ମାସ ତଳେ କୋଟଗଡରେ ଜଣେ ୮ ବର୍ଷର ଝିଅ ଗାଧୋଇ ଯାଇ ଥିବା ସମୟରେ ତାକୁ ଦୁଷ୍କର୍ମ ଓ ପରେ ବିଭତ୍ସ ଭାବେ ହତ୍ୟା ଘଟଣା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲା। ଏହା ପରେ ରାଜ୍ୟ ସରକାର ପୀଡିତାଙ୍କ ପରିବାରକୁ ୫ ଲକ୍ଷ କ୍ଷତି ପୁରୁଣ ପ୍ରଦାନ କରିଥିଲେ ଓ ଏହା ପରେ ବାଲିଗୁଡା ଥାନା ଅଂଚଳରେ ଜଣେ ଦେଢ଼ ବର୍ଷର ଶିଶୁକୁ ଦୁଷ୍କର୍ମ ଭଳି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଏଭଳି ଚାରି ଚାରୋଟି ଘଟଣା କନ୍ଧମାଳରେ ଲଜ୍ଜା ବଢ଼ାଇଛି।

ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଗୁରୁବାର ବିଜେପି ଓ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ବାର ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଆନ୍ଦୋଳନ ଯୋଗୁଁ ଜିଲ୍ଲାରେ ଗାଡି ଚଳାଚଳ, ଦୋକାନ ବଜାର ଓ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି ଜଣାପଡିଛି। ଏହାକୁ ଆଖି ଆଗରେ ରଖି ଜିଲାରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ନଉପୂଜୁ ସେଥିପାଇଁ ପୁଲିସ ନଜର ରଖିଛି।

ସମ୍ବନ୍ଧିତ ଖବର