ଫୁଲବାଣୀରେ ପୁଣି ପୁଲିସକୁ ଆକ୍ରମଣ : କନେଷ୍ଟବଳ ଗୁରୁତର

ଫୁଲବାଣୀ : ଫୁଲବାଣୀରେ ପୁଣି ପୁଲିସକୁ ମାଡ଼। ଏଥିରେ ଲହୁଲୁହାଣ ହୋଇଛନ୍ତି ସୁନିଲ କୁମାର ପରିଡା ନାମକ ଜଣେ କନେଷ୍ଟବଳ। ସୁନୀଲ କନେଷ୍ଟବଳ ଓ ହାବିଲଦାର ସଂଘର ସମ୍ପାଦକ ଦାୟିତ୍ବରେ ମଧ୍ୟ ଅଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଛି। ରାମମନ୍ଦିର ଗଳିରେ ୧୫ରୁ ୨୦ ଯୁବକ ଗୁଲିଗପ କରୁଥିଲେ। ‌କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଦୁଇ ଗୋଷ୍ଠୀ ପରସ୍ପରକୁ ଗାଳିମନ୍ଦ କରୁଥିବା ବେଳେ ସେହି ବାଟ ଦେଇ ଯାଉଥିଲେ କନେଷ୍ଟବଳ ପରିଡ଼ା। ଏହା ଦେଖି ସେ ସଂପୃକ୍ତ ଯୁବକଙ୍କୁ ବୁଝାସୁଝା କରିବା ସହ ପାଟିତୁଣ୍ଡ ନ କରିବାକୁ ବାରଣ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଇ ଗୋଷ୍ଠୀର ଯୁବକ ଏକଜୁଟ୍ ହୋଇ କନେଷ୍ଟବଳଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏମିତି ତି ତଳେ ପକାଇ ମୁହଁକୁ ପଥରରେ ଛେଚି ଦେଇଥିଲେ। ଏଥିରେ କନେଷ୍ଟବଳ ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପୁଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ପଠାଯାଇଥିଲା। ସେଠାରେ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ବିପଦମୁକ୍ତ ଥିବା ଜଣାପଡ଼ିିଛି।

ସେପଟେ ଅଭିଯୁକ୍ତ ଯୁବକଙ୍କୁ ଧରିବା ନିମନ୍ତେ ପୁଲିସ ଛାନଭିନ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ ୫ ଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା ଚଳାଇଛି। ‌କିଛି ଦିନ ପୂର୍ବେ ଫୁଲବାଣୀ ସହରରେ ଗୋଛାପଡ଼ା ଥାନାଧିକାରୀଙ୍କୁ ଗଂଜେଇ ମାଫିଆ ଟାଙ୍ଗିଆରେ ହାଣିବା, ଟାଉନ ପୁଲିସର ଏସ୍‌ଆଇଙ୍କୁ ଜଣେ ଯୁବକ ଛୁରି ମାଡ଼ କରିବା, ଫୁଲବାଣୀ କୋର୍ଟ ମାଲଖାନାରୁ ଗଂଜେଇ ଲୁଟ୍‌ ହେବା ଏବଂ ଗତକାଲି ରାତିରେ କନେଷ୍ଟବଳକୁ ସଂଘବଦ୍ଧ ଆକ୍ରମଣ କରିବା ଘଟଣାରେ ପୁଲିସର ପାରିବାପଣିଆ ଓ ଦୁର୍ବଳ ପା‌‌ଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର