କନ୍ଧମାଳ: ବେଲଘରକୁ ପୁଣି ଫେରିଲା ଥଣ୍ଡା, ଦାରିଙ୍ଗବାଡିରେ ପାରା ୬.୫ ଡିଗ୍ରି

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ଥଣ୍ଡା କମିବାର ନା ଧରୁନି। ଦିନେ ଦୁଇ ଦିନ ଥଣ୍ଡା ସାମାନ୍ୟ କମିଥିବା ବେଳେ କାଲି ଠାରୁ ପୁଣି ଥଣ୍ଡା ବଢୁଛି। ପାରଦ ଖସୁଛି। ସାଧାରଣ ଲୋକଙ୍କୁ ପୁଣି ଥଣ୍ଡା ଅସ୍ତ ବ୍ୟସ୍ତ କଲାଣି। ବେଲଘରରେ ବୁଧବାର ୬.୫ ଡିଗ୍ରି ତାପମାତ୍ରା ରହିଥିବା ବେଳେ ଆଜି ୬ ଡିଗ୍ରି ରହିଛି।

ଦାରିଙ୍ଗବାଡିରେ ବୁଧବାର ୭ ଡିଗ୍ରି ରହିଥିବା ବେଳେ ଆଜି ୬.୫ଡିଗ୍ରି ରହିଛି। ଥଣ୍ଡା ବୃଦ୍ଧି ପାଉଛି। ଦିନରେ ମଧ୍ୟ ତାପମାତ୍ରା ୧୦ଡିଗ୍ରି ତଳେ ୮/୯ଡିଗ୍ରି ସମଗ୍ର ଜିଲାରେ ରହୁଛି। ଫୁଲବାଣୀ, ବାଲିଗୁଡା, ଜି.ଉଦୟଗିରି, ରାଇକିଆ, କ.ନୁଆଗାଁ, ଟିକାବାଲି, ତୁମୁଡିବନ୍ଧ ଓ କୋଟଗଡ ଅଂଚଳରେ ସନ୍ଧ୍ୟା ହେଲେ ଶୀତ ଧୀରେ ଧୀରେ ବୃଦ୍ଧି ପାଉଛି। ମଧ୍ୟ ରାତ୍ରିରୁ କୁହୁଡି ଆରମ୍ଭ ହୋଇ ଦିନ ଦଶଟା ପର୍ଯ୍ୟନ୍ତ ଘନ କୁହୁଡି ଲାଗି ରହୁଛି। ଲୋକେ ଦିନ ତମାମ ଗରମ ପୋଷାକ ପିନ୍ଧି ରହୁଥିବା ବେଳେ କିଛି ସ୍ଥାନରେ ନିଆଁ ଜାଳି ଥଣ୍ଡା ଲାଘବ କରିଥାନ୍ତି।

ଥଣ୍ଡା ଆହୁରି ଏକ ସପ୍ତାହ ଏଭଳି ଜାରି ରହିବ ବୋଲି ଅନୁମାନ କରାଯାଉଛି। ଥଣ୍ଡାର ମଜା ନେବା ପାଇଁ ଜିଲାରେ ଥିବା ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି, ବେଲଘର, ଲୁଦୁ, ମଣ୍ଡାସୁରୁ କୁଟି ଭଳି ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ମାନଙ୍କ ଭିଡ ଦେଖିବାକୁ ମିଳୁଛି ଏହାର ମଜା ନେବା ସହ ବଣ ଭୋଜି କରୁଛନ୍ତି।

ସମ୍ବନ୍ଧିତ ଖବର