ଆମ୍ବ ତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ

ଫିରିଙ୍ଗିଆ : ଆମ୍ବ ତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି | ଏଭଳି ଏକ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବନ୍ଧଗଡ଼ ଗାଁରେ | ମୃତକ ଆଦିବାସୀ ଦମ୍ପତି ହେଉଛନ୍ତି ଦଶରଥ ଭୁକ୍ତା(୫୦ ବର୍ଷ) ଓ ତାଙ୍କ ସ୍ତ୍ରୀ ସରୋଜିନୀ ଭୁକ୍ତା(୪୫ ବର୍ଷ) |

ମିଳିଥିବା ସୂଚନା ମୁତାବକ ରାସ୍ତା ପାର୍ଶ୍ୱରେ ଥିବା ଏକ ଆମ୍ବଗଛରୁ ଲାଠି ସାହାଯ୍ୟରେ ଆମ୍ବ ତୋଳୁଥିଲେ | ତେବେ ଲାଠିଟି ଓଦା ଥିବାରୁ ପାର୍ଶ୍ୱରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ସେ ଆସିଯାଇଥିଲେ | ତାଙ୍କୁ ବଞ୍ଚାଇବାକୁ ପତ୍ନୀ ବି ତାଙ୍କୁ ଧରିପକାଇଥିଲେ | ଯାହା ଫଳରେ ଘଟଣାସ୍ଥଳରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା|

ସୂଚନା ଥାଉ କି ଖରାଦିନରେ ଗରିବ ଲୋକମାନେ ଆମ୍ବ ସଂଗ୍ରହ କରି ସହରରେ ଆଣି ବିକ୍ରି କରିଥାନ୍ତି | ଏହି ଆମ୍ବରୁ କିଛି ଅର୍ଥ ଉପାର୍ଜନ କରନ୍ତି | ଠିକ ସେହିଭଳି ଦଶରଥ ଆମ୍ବ ତୋଟାକୁ ଆମ୍ବ ତୋଳିବାକୁ ଯାଇଥିଲେ | ତେବେ ଓଦା ଲାଠି ହିଁ ତାଙ୍କ ଜୀବନ ନେଇଯାଇଛି |

ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛି |

ସମ୍ବନ୍ଧିତ ଖବର