ଦାରିଙ୍ଗବାଡ଼ି ବନ୍ଦ

ଦାରିଙ୍ଗବାଡ଼ି,: ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନଜାତିର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ୮ମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନଙ୍କ ଅବହେଳାକୁ ଦାୟୀ କରି ଆଜି କନ୍ଧମାଳ ସୁରକ୍ଷା ଅଭିଯାନ ଓ ଜିଲ୍ଲା ବିଜେପି ପକ୍ଷରୁ ସମଗ୍ର କନ୍ଧମାଳ ଜିଲ୍ଲା ବାରଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ଘଣ୍ଟା ଠାରୁ ଉଭୟ ଦଳର ଲୋକମାନେ ରାସ୍ତା ଅବରୋଧ କରି ରାସ୍ତା ଉପରେ ଟାୟାର ଜାଳି ଗାଡ଼ି ମଟର ଚଳାଚଳ ସନ୍ଧ୍ୟା ୬ଟା ଯାଏ ବନ୍ଦ କରିଥିଲେ । ଏହି ଭଳି ଲଜ୍ଜାର ଘଟଣା ପାଇଁ ଜିଲ୍ଲା ପ୍ରଶାସନଙ୍କ ଅବହେଳାରୁ ହୋଇଥିବା ନେଇ ଜିଲ୍ଳାପାଳଙ୍କ ବଦଳି ଏବଂ ଜିଲ୍ଲା ମଙ୍ଗଳ ଅଧିକାରିଣୀ ଓ ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ନିଲମ୍ବିତ କରିବା ଓ ଏହାର ବିଚାର ବିଭାଗୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ବନ୍ଦ ଡାକରା  ଦେଇଥିଲେ । କନ୍ଧମାଳ ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରତାପ ପ୍ରଧାନ, ସଦସ୍ୟ କାଳିପ୍ରସାଦ, ବିଦ୍ୟାଧର ମଲିକ ଓ ସୁରେନ୍ଦ୍ର ସାହୁ ନେତୃତ୍ୱ ନେଇଥିଲେ । ଜିଲ୍ଲା ବିଜେପି ପକ୍ଷରୁ କମଳା ପାଣ୍ଡେ, ସଙ୍ଘମିତ୍ରା ପ୍ରଧାନ, ଅରୁଣ କୁମାର ପ୍ରଧାନ, ବିରଞ୍ଚି କୁମାର ସାହୁ, ହରେନ ସାହୁ, ପ୍ରଭାକର ସାହୁ ନେତୃତ୍ୱ ନେଇଥିଲେ । ବ୍ଲକର ବ୍ରାହ୍ମଣୀଗାଁ, ସିମନବାଡ଼ି ଓ ବୁଡାଗୁଡ଼ା ଦୋକାନ ବଜାର, ଗାଡ଼ି ମଟର ବନ୍ଦ ରହିଥିଲା ।

ସମ୍ବନ୍ଧିତ ଖବର