ଲଜ୍‌ରୁ ଗଂଜେଇ ଜବତ ମାମଲା:୨ ଅନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ୍‌, ୨୦ ହଜାର ଜରିମାନା

ଫୁଲବାଣୀ: ଫୁଲବାଣୀ ସହର ନାଇନା ଲଜ୍‌ରୁ ୨୦୧୬ରେ ୩ କିଲୋ ଗଂଜେଇ ଜବତ କରାଯାଇଥିଲା। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଜିଲ୍ଲା ଦୌରାଜଜ୍‌ ତଥା ସ୍ୱତନ୍ତ୍ର ଜଜ୍‌ ଜନାବ ମହମ୍ମଦ ଅଜମଲ ବାଙ୍ଗାଲୋରର ଦୁଇ ଗଂଜେଇ ଅଭିଯୁକ୍ତ ପ୍ରଭାକର. ଭି ଓ ଦୟାନନ୍ଦ.ଆରଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି। ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଓ ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି।
୨୦୧୬ ସେପ୍ଟେମ୍ବର ୨୦ ତାରିଖରେ ନାଇନା ଲଜରେ କେତେ ଜଣ ଅନ୍ତଃରାଜ୍ୟ ଗଂଜେଇ ମାଫିଆ ରହି ବାଙ୍ଗାଲୋରକୁ ଗଞ୍ଜେଇ ଚାଲାଣ ନିମନ୍ତେ ପ୍ରସ୍ତୁତି ଚଳାଇଥିବା ନେଇ ଫୁଲବାଣୀ ଅବକାରୀ ବିଭାଗକୁ ଖବର ମିଳିଥିଲା। ଅବକାରୀ ଟିମ୍‌ ଲଜର ୨୩୭ ନମ୍ବର ରୁମରେ ପହଞ୍ଚି ତନାଘନା କରିଥିଲେ। ସେଠାରୁ ୩ କିଲୋ ଗଂଜେଇ ମିଳିଥିବା ବେଳେ ଅଭିଯୁକ୍ତ ପ୍ରଭାକର. ଭି ଓ ଦୟାନନ୍ଦ ଆରଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ସମୁଦାୟ ୩ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୌମେନ୍ଦ୍ର କୁମାର ସାହୁ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର