କନ୍ଧମାଳର ନାବାଳିକା ହରିଆଣାରୁ ଉଦ୍ଧାର ଘଟଣା : ମାମୁ ପୁଅ ଗିରଫ, ଫିରିଙ୍ଗିଆର ମହିଳା ଦଲାଲକୁ ଖୋଜୁଛି ପୁଲିସ

ଫୁଲବାଣୀ : ଚାକିରି ପ୍ରଲୋଭନ ଦେଖାଇ କନ୍ଧମାଳର ଜଣେ ନାବାଳିକାକୁ ହରିଆଣାରେ ବିକ୍ରି କରିବା ଘଟଣାରେ ମାମୁ ପୁଅ ଶୁଭକାନ୍ତ କହଁରକୁ ପୁଲିସ ଗିରଫ କରି ଆଜି ସଂଧ୍ୟାରେ କୋର୍ଟ ଚାଲାଣ କରିଛି। ହେଲେ ଏଥିରେ ମୁଖ୍ୟ କଟପଦାର ଥିବା ଫିରିଙ୍ଗିଆ ଅଞ୍ଚଳର ମହିଳା ଦଲାଲକୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ଖଜୁରୀପଡା ବ୍ଳକ ଡୁଙ୍ଗାସାହିର ୧୭ ବର୍ଷର ଜଣେ ନବାଳିକାକୁ ଗତ ଜାନୁଆରୀ ୪ ତାରିଖରେ ମାମୁ ପୁଅ ଭାଇ ଶୁଭକାନ୍ତ କଂପାନୀରେ ଚାକିରି କରାଇ ଦେବା କହି ହରିଆଣା ନେଇ ଯାଇଥିଲା। ସେଠାରେ ଯୋଗସୁତ୍ରରେ ଥିବା ଫିରିଙ୍ଗିଆ ଅଞ୍ଚଳର ମହିଳା ଦଳାଲ ସହାୟତାରେ ଶୁଭାକାନ୍ତ ନାବାଳିବାକୁ ଜଣେ ୪୨ ବର୍ଷ ବୟସର ଲୋକଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ମିଳିଥିବା ୫୦ ହଜାରରରୁ ମହିଳା ଦଲାଲ ୧୫ ହଜାର ଟଙ୍କା ନେଇଥିବା ବେଳେ ଶୁଭକାନ୍ତ ୩୫ ହଜାର ଟଙ୍କା ଧରି କନ୍ଧମାଳକୁ ଫେରିଥିଲା। ଝିଅ ନିଖୋଜ ସମ୍ପର୍କରେ ଗତ ୧୮ ତାରିଖରେ ନାବାଳିକାର ମା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ତାପରେ ପୁଲିସ ଏ ନେଇ ତନାଘନା କରିବା ପରେ ନାବାଳିକାକୁ ବିକ୍ରି କରାଯାଇଥିବା ନେଇ ଠୋସ ପ୍ରମାଣ ମିଳିଥିଲା। ପୁଲିସ ଏକ ଟିମ ଗତ ୨୨ ତାରିଖରେ ହରିଆଣା ଯାଇ ନାବାଳିକାକୁ ଉଦ୍ଧାର କରିଥିଲା। ଗତକାଲି ସିଡବ୍ଲୁସିରେ ନାବାଳିକାକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାରେ ଆଜି ଶୁଭକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକାକୁ କିଣି ପତ୍ନୀ ଭାବେ ରଖିଥିବା ଲୋକ ଓ ମହିଳା ଦଲାଲକୁ ଗିରଫ ପାଇଁ ପୁଲିସ ଉଦ୍ୟମ ଚଳାଇଥିବା ବିଶେଷ ସୁତ୍ରରୁ ଜଣା ପଡିଛି। ମହିଳା ଦଲାଲ ଜଣକ ବାହାର ରାଜ୍ୟରେ ରହି ମଧ୍ୟସ୍ଥି ମାଧ୍ୟମରେ ବିଭିନ୍ନ ପ୍ରଲୋଭନ ଦେଖାଇ ଏଠାରୁ ନାବାଳିକା ଓ ମହିଳାକୁ ଚାଲାଣ କରୁଛନ୍ତି। ପୂର୍ବରୁ ମଧ୍ୟ ଏଭଳି ଘଟଣା ହୋଇଛି। ଦେଖାଯାଉ ମହିଳା ଦଲାଲକୁ ପୁଲିସ ଧରିବାରେ କେତେ ସଫଳ ହେଉଛି।

ସମ୍ବନ୍ଧିତ ଖବର