କନ୍ଧମାଳର ପିରିକୁଡି ହେବ ନିଶାମୁକ୍ତ ପଞ୍ଚାୟତ: ଶପଥ ନେଲେ ମହିଳା ଗଠନ ହେଲା ସଂଗଠନ

ଫୁଲବାଣୀ/ଖଜୁରୀପଡା:କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଳକ ପିରିକୁଡି ହେବ ନିଶାମୁକ୍ତ ପଞ୍ଚାୟତ। ଏଥି ନିମନ୍ତେ ଆଜି ପଞ୍ଚାୟତର ଶତାଧିକ ମହିଳା ଶପଥ ନେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ଗଠନ ହୋଇଛି ପଞ୍ଚାୟତ ମହିଳା ସଂଗଠନ। ସରପଞ୍ଚ ସାରଳା ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ନିଶାମୁକ୍ତି ଅଭିଯାନର ମହିଳା ନେତ୍ରୀ ସୁରମା ବିନ୍ଧାଣୀଙ୍କ ସଭାପତିତ୍ୱରେ ଆଜି ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଯୁବ ସମାଜସେବୀ ଆଇନଜୀବୀ ସତ୍ୟନାରାୟଣ ବେହେରା ଯୋଗଦେଇ ପିରିକୁଡି ପଞ୍ଚାୟତ ନିଶାମୁକ୍ତ ନିମନ୍ତେ ଶପଥ ନେଇଥିବା ମହିଳାଙ୍କୁ ସାଧୁବାଦ ଜଣାଇଥିଲେ। ନିଶାମୁକ୍ତ ନିମନ୍ତେ ପ୍ରତି ମାନସିକତାରେ ପରିବର୍ତ୍ତନ ହେବା ସହ ପ୍ରତି ଗାଁରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ।
ଉକ୍ତ ପଞ୍ଚାୟତର ବିଭିନ୍ନ ଗାଁରେ ଚାଲିଥିବା ଚୋରା ମଦ କାରବାର ସହ ଖଜୁରି ଓ ସରସ ରସ କଟାକୁ ବନ୍ଦ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ୨୯ ତାରିଖରେ ଏକ ବିରାଟ ସଚେତନତା ସଭା ହେବ। କାର୍ଯ୍ୟକ୍ରମରେ ସହଯୋଗ ନିମନ୍ତେ ପ୍ରଶାସନ ଓ ପୁଲିସର ସହଯୋଗ ଲୋଡା ଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ପରିପ୍ରେକ୍ଷୀରେ ପିରିକୁଡି ପଞ୍ଚାୟତ ନିଶାମୁକ୍ତ କରିବା ନିମନ୍ତେ ପଞ୍ଚାୟତ ମହିଳା ସଂଗଠନ ଗଠନ କରାଯାଇଥିଲା। ସୁରମା ବିନ୍ଧାଣୀ ସଭାନେତ୍ରୀ, ସର୍ମଦା ଦିଗାଲ ଉପସଭାନେତ୍ରୀ, ସୁଶିଲା ଦେହୁରୀ ସାଧାରଣ ସମ୍ପାଦିକା, କୈଳାସିନୀ ପ୍ରଧାନ ସହ ସମ୍ପାଦିକା ଓ ମାମାନୀ ବେହେରାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ପିରିକୁଡି ପଞ୍ଚାୟତ ସରପଞ୍ଚ ସାରଳା ମଲ୍ଲିକ, ସମିତି ସଭ୍ୟା ଅନୁସୂୟା ମଲ୍ଲିକ, ଯୁବସମାଜସେବୀ ସତ୍ୟନାରାୟଣ ବେହେରା,ଅନ୍ତରଂଗ କ୍ଲବ ଫେହେରେସନ ସଭାପତି ବିଚିତ୍ରବ୍ୟର୍ଯ୍ୟ ପ୍ରଧାନ, ଗ୍ରାମ ପଞ୍ଚାୟତ ଶିକ୍ଷା କମିଟିର ଭୃଙ୍ଗରାଜ ମଲ୍ଲିକ ପ୍ରମୁଖ ଉପଦେଷ୍ଠା ଭାବେ ମନୋନୀତ ହୋଇଛନ୍ତି ବୋଲି ସରପଞ୍ଚ ତଥା ସଂଗଠନର ଉପଦେଷ୍ଠା ଶ୍ରୀମତୀ ମଲ୍ଲିକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର