କନ୍ଧମାଳ ଲୋକସଭା ଆସନରୁ ନାମାଙ୍କନ ଦାଖଲ କଲେ ବିଜେପିର ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିରେ ସୋମବାର ଯୋଗଦେବା ପରେ ଖାରବେଳ ସ୍ୱାଇଁ ମଙ୍ଗଳବାର କନ୍ଧମାଳ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କୁ ଟକ୍କର ଦେବା ପାଇଁ ମନୋଜ ଆଚାର୍ଯ୍ୟ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ସୋମବାର ବିଜେଡି ପକ୍ଷରୁ ଅଚ୍ୟୁତ ସାମନ୍ତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଫୁଲବାଣୀ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବରେ ଅଙ୍ଗଦ କହଁର ନାମାଙ୍କନ କରିଥିବା ବେଳେ କଂଗ୍ରେସ ପକ୍ଷରୁ କିଶୋର କହଁର ନାମାଙ୍କନ କରିଛନ୍ତି। ସେହିପରି ଏହି ଆସନ ପାଇଁ ବିଜେପିରୁ ଦେବ ନାରାୟଣ ପ୍ରଧାନ ନାମାଙ୍କନ କରିଛନ୍ତି। ବାଲିଗୁଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କରେନ୍ଦ୍ର ମାଝୀ ନାମାଙ୍କନ କରିଛନ୍ତି। ଉଦୟଗିରିରୁ ଅର୍ଚ୍ଚନା ପ୍ରଧାନ ନାମାଙ୍କନ କରିଛନ୍ତି। ଏହି ଆସନ ପାଇଁ ଶ୍ୟାମଘନ ପ୍ରଧାନ ଓ ଜାକବ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ କରିଛନ୍ତି।

ରାୟଗଡା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ବିଭୀଷଣ ମାଝୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଛି। ସେ ସତ୍ୟପାଠରେ ଆବଶ୍ୟକ କାଗଜ ପତ୍ର ଦେଇ ନଥିଲେ। ନାମାଙ୍କନ ନାକଚ ପରେ ବିଭୀଷଣ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କୁ ସମର୍ଥନ ଦେବେ। ସେହିପରି ସ୍ୱାଧୀନ ପ୍ରାର୍ଥୀ ଅମ୍ବିକା ମାଝୀଙ୍କ ନାମାଙ୍କନ ନାକଚ ହୋଇଛି। ଅମ୍ବିକାଙ୍କ ବୟସ କମ ହୋଇଥିବାରୁ ତାଙ୍କର ପ୍ରାର୍ଥୀ ପତ୍ର ନାକଚ ହୋଇଛି।

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଗ୍ରେଗୋରୀ ମିଂଜ ଦଳ ଛାଡ଼ି ରାଜଗାଙ୍ଗପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି।

ଗଂଜାମ ଜିଲ୍ଳାର ସୋରଡ଼ା ବିଧାନସଭା ଆସନ ପାଇଁ ରଘୁନାଥ ନାଏକ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି। ଭଂଜନଗର ଆସନରୁ ବିଜେପି ପ୍ରାର୍ଥୀ ପଦ୍ୟୁମ୍ନ କୁମାର ନାଏକ ଏବଂ ସ୍ୱାଧୀନ ପ୍ରାର୍ଥୀ ଜିତେନ୍ଦ୍ର କେଶରୀ ଆରୁଖ ନାମାଙ୍କନ କରିଛନ୍ତି। ସେହିପରି ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗଳବାର ୫ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି। କଂଗ୍ରେସରୁ ମନୋଜ ଜେନା, ଆମ୍ବେଦକର କଂଗ୍ରେସରୁ ସୀତାରାମ ମୋହିନୀ, ସମତାକ୍ରାନ୍ତି ଦଳରୁ ସମୀର ସ୍ୱାଇଁ ଓ ରବୀନ୍ଦ୍ର ମହାପାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ କରିଛନ୍ତି।

ସମ୍ବନ୍ଧିତ ଖବର