କନ୍ଧମାଳରେ ହାତଲେଖା ବଦଳେ ଡିଟିପି ମାଓ ପୋଷ୍ଟର:ପୁଲିସର ତନାଘନା 

କୋଟଗଡ,: କନ୍ଧମାଳ ଓ ବଲାଙ୍ଗୀରରେ ମାଓ ଦମନକୁ ନେଇ ପ୍ରତିହିଂସା ପରାୟଣ ହୋଇଛନ୍ତି ଲାଲ ବାହିନୀ । ଗତକାଲି ରାତିରେ କୋଟଗଡ-ମୁନୀଗୁଡା ରାସ୍ତା ନୂଆଗାଁ-ରଡିଗୁମା ଠାରେ ଗଛ ପକାଇ ମୁଖ୍ୟ ରାସ୍ତା ଅବରୋଧ କରିବା ବେଳେ ଏକ ପୋଷ୍ଟର ଛାଡିଯାଇଛନ୍ତିି । ହେଲେ ମାଓବାଦୀ ସବୁ ସମୟରେ ହାତଲେଖା ମାଓ ପୋଷ୍ଟର ଲଗାଉଥିବା ବେଳେ ଏବେ କମ୍ପ୍ୟୁଟର ପ୍ରିଣ୍ଟେଡ ପୋଷ୍ଟର ଲଗାଇଛନ୍ତି । ଏହାକୁ ନେଇ ପୁଲିସ ତନାଘନା ଚଳାଇଛି । ଏହା ମାଓବାଦୀଙ୍କ କାର୍ଯ୍ୟକଳାପ କି ନାହିଁ ସେନେଇ ସନ୍ଦେହ ପ୍ରକଟ କରିଛନ୍ତି । ପୂର୍ବରୁ ମାଓ କାଯ୍ୟକଳାପ ଓ ଚେତାବନୀ ନେଇ ସେମାନେ ସବୁ ସମୟରେ ହାତଲେଖା ପୋଷ୍ଟର ବ୍ୟବହାର କରିଛନ୍ତି । ତେବେ ଏସ୍‌ପି ପ୍ରତୀକ ସିଂ ଏନେଇ ତନାଘନା ଚାଲିଥିବା କହିଛନ୍ତି ।
ସୂଚନା ମୁତାବକ ଗତକାଲି କୋଟଗଡ ଠାରୁ ୮ କିଲୋମିଟର ଦୂର ରଡିଗୁମା ଠାରେ ମାଓବାଦୀ ପୋଷ୍ଟର ଲାଗିବା ସହ ସନ୍ଧ୍ୟା ୮ ଟା ବେଳେ ଗଛପକାଇ ରାସ୍ତା ଅବରୋଧ କରିଥିଲେ । ଛାଡି ଯାଇଥିବା ପୋଷ୍ଟରରେ ସହିଦଙ୍କ ରକ୍ତ ବ୍ୟର୍ଥ ହେବ ନାହିଁ । ଏବଂ ବଲାଙ୍ଗୀର ଜିଲ୍ଲା ବରଦାମାଳ କମ୍ରେଡ ସଞ୍ଚୟ, ରାକେଶ ଓ କନ୍ଧମାଳ ସୁଡ୍ରୁକୁମ୍ପା ଜଙ୍ଗଲରେ ବାଦଲ ଓ ଅନ୍ୟ ଚାରିଜଣ ସାଥିଙ୍କୁ ଲାଲ ସଲାମ ଉଲ୍ଲେଖ ରହିଥିବା ଜଣାପଡିଛି । ଏହାସହ ବିପ୍ଳବୀ ହତ୍ୟାକାରୀ ମୋଦି ସରକାରଙ୍କୁ ମଧ୍ୟ ସମାଲୋଚନା କରାଯାଇଛି । ବିଜିଏନ ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଉଲ୍ଲେଖ ରହିଛି । ତେବେ ଗତକାଲି ଗୋଟିଏ ଗଛ ପକାଇ ରାସ୍ତା ଅବରୋଧ କରାଯାଇଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ରାସ୍ତା ପାଶ୍ୱରୁ ହଟାଇଛନ୍ତି । ଯାନବାହନ ଚଳାଚଳ ସ୍ୱଭାବିକ ହେବାସହ ମାଓଙ୍କ ଗତିବିଧି ଉପରେ ପୁଲିସ ଏବେ ତୀକ୍ଷଣ ନଜର ରଖିଥିବା ଜଣାପଡିଛି । ଗତ ଦୁଇଦିନ ତଳେ ସୁଡ୍ରୁକୁମ୍ପା ଜଙ୍ଗଲରେ ପୁଲିସ ଓ ମାଓ ମଧ୍ୟରେ ଗୁଳି ବିନିମୟରେ ପାଞ୍ଚ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ସାତରୁ ଆଠଜଣ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଗତକାଲି ରାତିରେ ପୁଣି ପୋଷ୍ଟର ଲଗାଇ ଜିଲ୍ଲାରେ ସେମାନଙ୍କ ଉପସ୍ଥିତ ଜାହିର କରୁଥିବା ବେଳ ମାଓ ଦମନ ନେଇ ପୁଲିସ ପ୍ରତି ଆଉ ଏକ ଚାଲେଞ୍ଜ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର