ଲଜ୍ଜା : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତ ଅଟକ

କୋଟଗଡ : ପୁଣି ଲଜ୍ଜା। ଦିପହରେ ନିଷ୍ପାପ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା କନ୍ଧମାଳରେ ଆଲୋଡ଼ନ ସୃଷ୍ଟି କରିଛି। ନାବାଳିକାକୁ ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ଅମାନୁଷିକ ଭାବେ ତଣ୍ଟି ଚିପି ହତ୍ୟା କରିଛି। ଆଜି ସନ୍ଧ୍ୟାରେ ନିକଟସ୍ଥ ବିଲ କାଦୁଅ ଭିତରେ ନାବାଳିକାର ଶବ ଠାବ ହେବା ପରେ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏ ନେଇ କୋଟଗଡ଼ ଥାନାରେ ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ହାଟପଦା ସାହିରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଥିବା ବେଳେ ମାମଲାରେ ପୁଲିସ ଗଗନ ପ୍ରଧାନ ନାମକ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଏଣେ ଉତ୍ତେଜନା କ୍ରମେ ବଢ଼ିବା ସହ ସ୍ଥାନୀୟ ଜନସାଧାରଣ ରାସ୍ତାରୋକ ଆରମ୍ଭ କରି ଦେଇଥିବା ଜଣାଯାଇଛି। କୋଟଗଡ଼ ଥାନାରେ ହୋଇଥିବା ଅଭିଯୋଗ ପ୍ରକାରେ ଆଜି ହାଟପଦା ସାହିର ୯ ବର୍ଷର ଝିଅଟି ଦିନ ୨ଟାରେ ନିଖୋଜ ହୋଇ ଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରି ତାକୁ କେଉଁଠି ନପାଇବା ପରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ସନ୍ଧ୍ୟା ପା୍ରୟ ୬ଟାରେ ହାଟପଦା ସାହି ନିକଟରେ ଥିବା ଏକ ବିଲ ଭିତରେ ଝିଅର ମୃତ ଦେହ ପଡ଼ିଥିବା ଶୁଣିବାକୁ ପାଇ ତୁରନ୍ତ ପରିବାର ଲୋକେ ଓ ସାହି ବାସିନ୍ଦା ବିଲମାଳକୁ ଯାଇଥିଲେ। ସେଠାରେ ଝିଅର ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳକୁ ଯାଇ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ସେହି ଅଂଚଳର କିଛି ଲୋକ ଗଗନ ପ୍ରଧାନ କିଛି ସମୟ ଆଗରୁ ସେହି ରାସ୍ତାରେ ଓଦା ସରସର ହୋଇ ଶବ ଯେଉଁ ସ୍ଥାନରେ ପଡ଼ିଛି ସେହି ବିଲ ଭିତରୁ ଆସୁଥିବା ଦେଖିଥିଲେ ବୋଲି ପୁଲିସକୁ ଜଣାଇଥିଲେ। ଏହାପରେ ପୁଲିସ ତୁରନ୍ତ ଗଗନକୁ ଧରି ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର