ବୈଜ୍ଞାନିକ ଯୁଗରେ ଅନ୍ଧବିଶ୍ୱାସ: ପେଟ ଯନ୍ତ୍ରଣା ହେବାରୁ ପ୍ରାକୃତିକ ଉପାୟରେ ଚିକିତ୍ସା ଉଦ୍ୟମ, ବିଫଳ ପରେ ‘ଏମ୍‌କେସିଜି’ରେ ଭର୍ତ୍ତି

ତୁମୁଡିବନ୍ଧ (ସନ୍ତୋଷ ଦାସ): ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଜିର ମଣିଷକୁ ମଙ୍ଗଳ ଗ୍ରହରେ ପହଂଚାଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଗ୍ରାମାଂଚଳରେ ଲୋକେ ପାରଂପାରିକ ତଥା ପ୍ରାକୃତିକ ଚିକିତ୍ସାକୁ ଭୁଲି ନାହାନ୍ତି। ଏଭଳି ଘଟଣା ଶୁକ୍ରବାର ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅଂଚଳରରେ ଦେଖିବାକୁ ମିଳିଛି। ଜଣେ ସତର ବର୍ଷିୟ ଦେବାନନ୍ଦ ବଳିୟାରସିଂର ପେଟବଥାରୁ ମୁକ୍ତି ପାଇବା ପାଇଁ ପରିବାର ଲୋକେ ଗାଁରେ ପିତ୍ତଳ ଢାଳର ଦେଶୀ ଚିକିତ୍ସା କରି ଅଡୁଆରେ ପଡିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଘଟଣା ମୁତାବକ ଦେବାନନ୍ଦଙ୍କ ପେଟରେ କିଛି ଦିନ ହେବ ଯନ୍ତ୍ରଣା ହେଉଥିଲା। ଏ ନେଇ କିଛି ମେଡ଼ିସିନ ଖାଇବା ସତ୍ୱେ ପେଟ ବଥାରୁ ଉପଶମ ମିଳିନଥିଲା। ଶେଷରେ ଘର ଲୋକ ବାଧ୍ୟ ହୋଇ ଦେଶୀ ପଦ୍ଧତିରେ ଚିକିତ୍ସା ଆରମ୍ଭ କରିଥିଲେ। ଗାଁରେ ପ୍ରଚଳିତ ଏକ ପିତ୍ତଳ ଢାଳରେ ଗୋବର ସହ ଜଡ଼ା ତେଲ ମିଶାଇ ଭର୍ତି କରି ପେଟର ନାଭି ଉପରେ ସଳିତା ଜାଳି ରଖିଥିଲେ କିନ୍ତୁ କିଛି ସମୟ ପରେ ଢାଳ ଟିକୁ ନାଭିରୁ ବାହାର କରିବା ବେଳେ ଢାଳଟି ବାହାରି ନଥିଲା।

ସବୁ ପ୍ରଚେଷ୍ଟା ସତ୍ତ୍ୱେ ଢାଳ ଅଲଗା ନହେବାରୁ ଢାଳ ଟିକୁ କାଟିବା ପାଇଁ ଧାରୁଆ ଅସ୍ତ୍ର ବ୍ୟବହାର ସମୟରେ ଉପର ଭାଗଟି କାଟିଥିଲେ ମଧ୍ୟ ସମ୍ପୂର୍ଣ ଅଲଗା ହୋଇନଥିଲା। ପରିବାର ଲୋକେ ଶେଷରେ ନିକଟସ୍ଥ ବ୍ରାହ୍ମଣୀ ଗାଁ ମେଡିକାଲରେ ଭର୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ଚିକିତ୍ସା ସମ୍ଭବ ନୁହଁ କହି ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ବ୍ରହ୍ମପୁର ମେଡିକାଲ ପହଁଚିବା ପୂର୍ବରୁ ଢାଳଟି ପେଟରୁ ଅଲଗା ହୋଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର