କନ୍ଧମାଳରେ ମେ’ ୧୫ ପରେ କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ : ଓଡିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏ ନେଇ ତୁରନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନରେ ସାଇନବୋର୍ଡ ଓଡିଆରେ ଲେଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଏ ନେଇ ତତ୍ପରତା ପ୍ରକାଶ କରି  ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ଓଡିଆରେ ସାଇନବୋର୍ଡ ରହିବା ନିମନ୍ତେ ପଦକ୍ଷେପ ଆରମ୍ଭ କରି ଦେଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ନିକଟରେ ଜିଲ୍ଲାପାଳ ଡା.ବୃନ୍ଦା ଡି ଏ ନେଇ ଏଜ ଜରୁରୀ ବୈଠକ ଡକାଇ ସମସ୍ତ ସାଇନବୋର୍ଡ ଓଡିଆରେ ଲେଖାଯିବ ବୋଲି କହିଛନ୍ତିି। ଏହି ବୈଠକରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଯୋଗ ଦେଇଥିବା ବେଳେ ଆସନ୍ତା ମଇ ୧୫ ତାରିଖ ସୁଦ୍ଧା ଏହା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ନିର୍ଦ୍ଧାରିତ ଏହି ସମୟ ସୁଦ୍ଧା କୌଣସି ସରକାରୀ କାର୍ଯ୍ୟାଳୟରେ ସାଇନବୋର୍ଡ ଓଡିଆରେ ଲେଖା ହୋଇ ନଥାଏ ତାହା ହେଲେ ସଂପୃକ୍ତ ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ତେବେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ ଓଡିଆରେ କେବେ ହେବା ନେଇ ପ୍ରଶ୍ନରେ ସରକାରଙ୍କ ନିର୍ଦ୍ଦେଶ ଆସି ନାହିଁ। ଆସିଲେ ନିଶ୍ଚୟ ଏହା କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓ ଦୋକାନରେ ଓଡିଆରେ ସାଇନବୋର୍ଡ ଲେଖା ନିମନ୍ତେ ଫୁଲବାଣୀ ପୌର ପରିଷଦ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯିବା ସହ ସଚେତନ କରାଯାଉଛି। ଏଥିନିମନ୍ତେ ଏକ ସ୍କ୍ଵାଡ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନକୁ ଯାଇ ଓଡିଆରେ ସାଇନବୋର୍ଡ ଲେଖିବାକୁ ପରାମର୍ଶ ଦେଉଛନ୍ତି। ଯଦି ମଇ ୧୫ ତାରିଖ ସୁଦ୍ଧା କେହି ଅମାନ୍ୟ କରନ୍ତି ତାହା ହେଲେ ମଇ ୧୬ରେ ଅନ୍ୟ ଭାଷା ଲେଖା ସାଇନବୋର୍ଡ କାଢି ଦିଆଯିବ ଓ ଜରିମାନା ଆଦାୟ କରାଯିବ ବୋଲି ପୌରନିର୍ବାହୀ ଅଧିକାରୀ ରାଧାମୋହନ ବେହେରା କହିଛନ୍ତି। ହେଲେ ଏବେ ମଇ ୧୫କୁ ଅପେକ୍ଷା। ଦେଖାଯିବ ସବୁଠି ସାଇନବୋର୍ଡ ଓଡିଆରେ ରହୁଛି କି ନାହିଁ। ଯଦି କେହି ଅମାନ୍ୟ କରୁଛି ତାଙ୍କ ବିରୋଧରେ ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛ, ତାହା ଅପେକ୍ଷାର ବିଷୟ ହୋଇଛିି।

ସମ୍ବନ୍ଧିତ ଖବର